Categories: ଜାତୀୟ

ବୁମେରାଂ ପାଲଟିଲା ବ୍ରହ୍ମାସ୍ତ୍ର: ପାଓ୍ବାର ଦେଖାଇଲେ ପାଓ୍ବାର

ମୁମ୍ବାଇ,୨୭ା୧୧: କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। କାରଣ ଉଭୟ କ୍ଷେତ୍ରରେ ଯେଉଁ ଦଳ ମ୍ୟାଚ୍‌ ହାରୁଛି ଭଳି ଦେଖାଯାଉଥିବ ଶେଷ ମୁହୂର୍ତ୍ତରେ ସେହି ଦଳ ବାଜି ମାରିନେଇଥାଏ ବୋଲି ଗତ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରର ବରିଷ୍ଠ ଭାଜପା ନେତା ନୀତିନ ଗଡ଼କରୀ କହିଥିଲେ। ଶନିବାର ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଗଢ଼ାଯାଇଥିବା ଭାଜପା ନେତୃତ୍ୱାଧୀନ ଫଡ୍‌ନବିସ ସରକାରକୁ ଗଡ଼କରୀ ଅଭିନନ୍ଦନ ଜଣାଇ ପୂର୍ବ ଗୁଗ୍‌ଲିକୁ ପୁଣି ଦୋହରାଇଥିଲେ। ହେଲେ ‘କ୍ରିକେଟରେ ତୁମେ ବଲ୍‌କୁ ଦେଖିପାରିବ। କିନ୍ତୁ ରାଜନୀତିରେ ତାକୁ ଦେଖିପାରିବ ନାହିଁ’ ବୋଲି ରାଜ୍ୟ କଂଗ୍ରେସ ସଭାପତି ବାଲାସାହେବ ଥୋରାଟ୍‌ ଦେଇଥିବା ଉତ୍ତରକୁ ଗଡ଼କରୀ ଭୁଲିଯାଇଥିଲେ। ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜ ରାଜନୈତିକ ଗୁରୁ ତଥା କାକା ଶରଦ ପାଓ୍ବାରଙ୍କ ନିକଟକୁ ଫେରିବାକୁ ବାଧ୍ୟହେବା ପରେ ଫଡ୍‌ନବିସଙ୍କ କ୍ଷମତାରେ ରହିବା ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏନ୍‌ସିପିରେ ବିଭାଜନ ଘଟାଇ ପୁନଃ କ୍ଷମତାସୀନ ହେବା ପାଇଁ ଭାଜପା ଯେଉଁ ବ୍ରହ୍ମାସ୍ତ୍ର ବା ବଲ୍‌ ଫିଙ୍ଗିଥିଲା ଶେଷରେ ତାହା ବୁମେରାଂ ପାଲଟିଛି।

ଅକ୍ଟୋବର ୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବର୍ଷାରେ ଭିଜିଭିଜି ପ୍ରଚାର କରୁଥିବାବେଳେ ଏହି ୭୯ ବର୍ଷୀୟ ଚାଣକ୍ୟ ନୂଆ ସରକାର ଗଠନର ମୂଳଦୁଆ ପକାଇବାକୁ ଯାଉଛନ୍ତି ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ। ପାଓ୍ବାରଙ୍କ ଧୂଆଁଧାର ପ୍ରଚାର ଯୋଗୁ ହିଁ ଏନ୍‌ସିପି ୫୪ ଆସନ ଦଖଲ କରିବାରେ ସଫଳ ହୋଇଛି, ଯାହାକି ପୂର୍ବାପେକ୍ଷା ୧୩ ଅଧିକ। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ପାଓ୍ବାରଙ୍କ ଅଙ୍କକଷା ଓ ଗୋଟିଚାଳନା ସମସ୍ତଙ୍କୁ ବିସ୍ମିତ କରିଛି। ଭିନ୍ନ ବିଚାରଧାରାର ଦଳ ଶିବସେନା ସହ ହାତ ମିଳାଇ ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଦ୍ଧି ଶିଖାଇଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି। ଏହି ବର୍ଷିୟାନ ରାଜନେତା ଶିବସେନା-ଏନ୍‌ସିପି-କଂଗ୍ରେସକୁ ଏକଜୁଟ କରି ଫଡ୍‌ନବିସଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପତନ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଲେଖିଥିଲେ। ଏହି ତିନି ଦଳ ସମେତ ଆଉ କେତେକ ଛୋଟ ଦଳର ବିଧାୟକମାନଙ୍କୁ ଗୋଟିଏ ଛାତ ତଳେ ଛିଡ଼ା କରାଇ ମୋଦି-ଶାହଙ୍କୁ ପାଓ୍ବାର ସନ୍ଦେଶ ଦେଲେ ଯେ, ଏହା ଗୋଆ କି ମଣିପୁର ନୁହେଁ, ବରଂ ମହାରାଷ୍ଟ୍ର। ଏହାସହ ମହାରାଷ୍ଟ୍ରରେ ଭାଜପା ବିରୋଧୀ ରାଜନୀତିର ମୂଳଦୁଆ ପକାଇ ଜାତୀୟ ରାଜନୀତିରେ ମଧ୍ୟ ଅନୁରୂପ ସମୀକରଣର ସମ୍ଭାବନା ସୃଷ୍ଟି କରିଛନ୍ତି ପାଓ୍ବାର। ଏଥିପାଇଁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ବୋଲି କୁହାଯାଉଛି।

Share