ବି.କେ. ଆର୍ଟ କଲେଜରେ ମିଳିତ ମୁଦ୍ରଣ କଳା ପ୍ରଦର୍ଶନୀ: ଛାତ୍ରାବାସ ମରାମତି ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ଚିତ୍ରକଳା, କାରୁକଳା ଓ ଭାସ୍କର୍ଯ୍ୟକୁ ବିଶ୍ୱବିଦିତ କରିବା ପାଇଁ ରାଜ୍ୟର ଚାରୁ ଓ କାରୁକଳା ଛାତ୍ରୀଛାତ୍ରମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଆୟୋଜିତ ମିଳିତ ମୁଦ୍ରଣ କଳା ଓ ଡ୍ରଇଂ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଓଡ଼ିଶାର ମହାନ ଶିଳ୍ପୀମାନଙ୍କ ଗୌରବମୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର କୃତିତ୍ୱକୁ ବ୍ୟାପକ କରିବା ଦିଗରେ ଉଭୟ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଉଦ୍ୟମ ଅବ୍ୟାହତ ରଖିବାକୁ ସେ କହିଥିଲେ। ମହାବିଦ୍ୟାଳୟର ମୁଦ୍ରଣ ବିଭାଗର ଅଧ୍ୟାପକ ଗଜେନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ। ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀରେ ୮୫ରୁ ଅଧିକ କୃତି ସ୍ଥାନିତ ହୋଇଛି। ମହାବିଦ୍ୟାଳୟର ୩୧ଜଣ ଛାତ୍ରୀଛାତ୍ର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବାବେଳେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଅବସରରେ ମନ୍ତ୍ରୀ କଲେଜ ପରିସର ମଧ୍ୟ ପରିଦର୍ଶନ କରିଥିଲେ। ଏହାସହ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ୫୦ଛାତ୍ର ଓ ୫୦ଛାତ୍ରୀଙ୍କ ପୃଥକ ଛାତ୍ରାବାସ ଗୃହ ତୁରନ୍ତ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।