ବିହାରରେ ଅଟକିଛନ୍ତି ୨୨ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୩।୩

କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି ହୋଇଛି କଟକଣା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବସ୍‌, ଟ୍ରେନ୍‌, ବିମାନ ସେବା ବାତିଲ କରାଯାଇଛି। ଏପରି ସ୍ଥିତିରେ ବିହାରର ସୁପୁଲସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିବା ଢେଙ୍କାନାଳ ଜିଲା ସରାଙ୍ଗ ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀର ୨୨ଜଣ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି। ପିଲାମାନେ କିପରି ସୁରକ୍ଷିତ ଭାବେ ଘରକୁ ବାହୁଡ଼ିବେ, ସେହି ଚିନ୍ତାରେ ଅଭିଭାବକମାନେ ଥିବାବେଳେ ପଦକ୍ଷେପ ନେବାକୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଏ ସଂକ୍ରାନ୍ତରେ ସ୍କୁଲ ଅଧ୍ୟକ୍ଷ ନୃସିଂହ କର କହିଛନ୍ତି, ନିୟମ ଅନୁଯାୟୀ ପ୍ରତି ଏକାଡେମିକ୍‌ ବର୍ଷରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳର ଛାତ୍ରୀଛାତ୍ର ଅଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ପଢ଼ିବା ଲାଗି ଆସିଥାନ୍ତି। ସେହିପରି ହିନ୍ଦୀ ଭାଷାଭାଷୀ ଛାତ୍ର ମଧ୍ୟ ଏଠାକୁ ଆସିଥାନ୍ତି। ଏଠାରୁ ନବମ ଶ୍ରେଣୀର ୧୪ ଛାତ୍ର ଏବଂ ୮ ଛାତ୍ରୀ ବିହାର ଯାଇଥିଲେ। ସେଠାରୁ ୨୧ ଜଣ ଛାତ୍ରୀଛାତ୍ର ସରାଙ୍ଗ ଆସିଛନ୍ତି। ଗତ ୨୦ ତାରିଖରେ ପରୀକ୍ଷା ଶେଷ ହେବା ପରେ ୨୪ ତାରିଖ ସୁଦ୍ଧା ଛାତ୍ରୀଛାତ୍ରମାନେ ନିଜ ନିଜ ଘରେ ପହଞ୍ଚତ୍ବା କଥା। କିନ୍ତୁ କରୋନା ପାଇଁ ନିୟମ ପାଳନ କଡ଼ାକଡ଼ି ହେବାପରେ ଗମନାଗମନ ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି। ଏ ନେଇ ଆଞ୍ଚଳିକ ନବୋଦୟ ଡେପୁଟି କମିଶନରଙ୍କ ସହ ଆଲୋଚନା କରାଯାଇଛି। ସେଠାରେ ଆମ ପିଲାମାନେ ସୁରକ୍ଷିତ ଅଛନ୍ତି। ବିହାରରୁ ଆସିଥିବା ପିଲାମାନେ ମଧ୍ୟ ଭଲରେ ଥିବା ଅଧ୍ୟକ୍ଷ କର ସୂଚନା ଦେଇଛନ୍ତି।
ଅନ୍ୟପଟେ ପିଲାମାନଙ୍କୁ ସୁରକ୍ଷିତ ଭାବେ ଆଣିବା ଲାଗି ହେମନ୍ତ ନାୟକ, ଗୌରାଙ୍ଗ ଚନ୍ଦ୍ର ବେହେରା, ମନୋଜ ସାମଲ, ନମିତା ନାୟକ ପ୍ରମୁଖ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଗୁହାରି କରିଛନ୍ତି। ଏଥିପୂର୍ବରୁ ସେମାନେ ଏମ୍‌ପି ମହେଶ ସାହୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ବେଳେ ସ୍କୁଲ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଜିଲାପାଳ କୁହନ୍ତି, ପିଲାମାନେ ସୁରକ୍ଷିତ ଅଛନ୍ତି। କଟକଣା କୋହଳ ହେବା ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।