ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସେ ହେଲେ ତୁଫାନି ଓରଫ୍‌ ସୋହା (୬୮)। ଉଦ୍ଧାର ପରେ ତାଙ୍କୁ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଜରାନିବାସରେ ରଖାଯାଇଛି। ତାଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଜଣାପଡ଼ିଛି।
ସୋହାଙ୍କ ଘର ବିହାର ସହାର୍ସା ଜିଲା କୋଶିଥାନା ସୋନବର୍ଷା ଅଞ୍ଚଳରେ। ସେ ମୈଥିଲି, ହିନ୍ଦୀ, ଊର୍ଦ୍ଦୁ, ଇଂଲିଶ ଭାଷା ଜାଣିଛନ୍ତି। ଉଦ୍ଧାର ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଜରାଶ୍ରମକୁ ଅଣାଯିବା ପରେ ଗୁଗୁଲ ସହାୟତାରେ ତାଙ୍କ ଘର ଠିକଣା ଜଣାପଡ଼ିଥିଲା। ଏ ନେଇ ପରିବାର ସଦସ୍ୟଙ୍କୁ ଫୋନ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ନେବା ପାଇଁ ଘର ଲୋକେ ଢେଙ୍କାନାଳ ଆସୁଥିବା ମିଶନର ସମ୍ପାଦକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।