ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍କୁଲ । ହେଲେ ରାଜ୍ୟ, ଦେଶ, ବିଦେଶ, ଭୂଗୋଳ, ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ଦେଇ ପାରୁଛନ୍ତି । ଏହି ବିସ୍ମୟ ବାଳିକା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି ଏଭଳି ପ୍ରତିଭା ପୂର୍ବଜନ୍ମ ସୁକୃତିର ଫଳ ବୋଲି କହୁଛନ୍ତିି।
ଅନ୍ୟ ସାଧାରଣ ପିଲାଙ୍କ ଭଳି ଖେଳକୁଦରେ ବେଶ୍‌ ଆଗ୍ରହ ରଖନ୍ତି ସ୍ମୃତିମୟୀ। ତାଙ୍କର ପ୍ରଚଣ୍ଡ ଧୀ ଶକ୍ତି ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ କି ଦୁଇଟି ନୁହଁ ମାତ୍ର ୫ମିନିଟରେ ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାରେ ସେ ସକ୍ଷମ। ପ୍ରଶ୍ନକର୍ତ୍ତାଙ୍କ ପାଟିରୁ ପ୍ରଶ୍ନ ଶେଷ ନ ହେଉଣୁ ସ୍ମୃତିମୟୀ ତାହାର ଉତ୍ତର ଦେଇ ପାରୁଛନ୍ତି। ଏହି କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକତି କରିଛି। ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ଓ ବାପା ଏହି ଅସାଧାରଣ ଲକ୍ଷଣ ଜାଣି ପାରିଥିଲେ। କଥାବାର୍ତ୍ତା ସମୟରେ ଯେକୌଣସି ଆଲୋଚନାକୁ ସେ ସହଜରେ ସ୍ମରଣ ରଖି ପାରୁଥିଲେ। ଏହି ଲକ୍ଷଣ ଦେଖି ବାପା ଶାନ୍ତନୁ ତାଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉତ୍ତର ପଢାଇବା ଆରମ୍ଭ କରିଥିଲେ। ମାତ୍ର ଏକ ମାସର ଅଧ୍ୟୟନ ପରେ ସ୍ମୃତିମୟୀ ଏବେ ଅବାଧରେ କେଇ ମିନିଟ ମଧ୍ୟରେ ଶତାଧିକ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହନ୍ତି, ଗ୍ରାମବାସୀ ବେଶ୍‌ ଖୁସି। କେହି କେହି ତାଙ୍କୁ ‘ମେମୋରୀ କୁଇନ’ବୋଲି କହୁଛନ୍ତି। ଆଗକୁ ଭଲପାଠ ପଢି ଜଣେ ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତାଙ୍କ ମା’ ସବିତା ରାଉତ କହିଛନ୍ତି, ସ୍ମୃତିମୟୀ ତାଙ୍କ ପ୍ରତିଭା ବଳରେ ଆଗକୁ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବାଦୀ ଅଛନ୍ତି।
ଫଟୋ