ବିସିସି ବ୍ୟାଙ୍କ କୃଷିଋଣ ପ୍ରଦାନ କରିଛି ୨୦୭.୧୭ କୋଟି

ବ୍ରହ୍ମପୁର ଅଫିସ,୨ା୮- ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କୃଷିଋଣ ପ୍ରଦାନ ଜୁଲାଇ ୩୧ରେ ଶେଷ ହୋଇଛି । ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାର ୨୫୧ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ୬୩ ହଜାର ୫୯୦ ଚାଷୀ ସଭ୍ୟଙ୍କୁ ୨୦୭.୧୭ କୋଟି ଟଙ୍କା ଋଣ ଲଗାଣ କରାଯାଇଛି। ଅନ୍ୟପକ୍ଷରେ କୃଷିଋଣ ନେବା ପାଇଁ ବାଧ୍ୟତାମୂଳକ ହୋଇଥିବା ପ୍ରଧାନମନ୍ତ୍ରୀ (ପିଏମ୍‌) ଫସଲ ବୀମା ସମୟ ସୀମା ମଧ୍ୟ ଗତ ବୁଧବାର ସରିଯାଇଛି । ବିସିସି ବ୍ୟାଙ୍କ ୨୦୧୯-୨୦ ବର୍ଷରେ ୨୪୫ କୋଟି କୃଷିଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଥିଲେ। ତେବେ ୩୮ କୋଟି ବଳକା ରହିଛି। ଧାନଚାଷ ନିମନ୍ତେ ଋଣ ପ୍ରଦାନ ଶେଷ ହୋଇଥିଲେ ମଧ୍ୟ ଅଣଧାନ ଫସଲ ନିମନ୍ତେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ କୃଷିଋଣ ଦିଆଯିବାର ବ୍ୟବସ୍ଥା ଥିବାରୁ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବାର ବ୍ୟାଙ୍କ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚାଇଛନ୍ତି। ସମ୍ପାଦକଙ୍କ କହିବାନୁସାରେ, ଗଞ୍ଜାମ ଜିଲାରେ ଥିବା ବ୍ୟାଙ୍କର ୧୩ ଶାଖା ଅଧୀନ ୨୦୬ ଏବଂ ଗଜପତି ଜିଲାର ୪ ଶାଖା ଅଧୀନରେ ୫୦ ସୋସାଇଟି ଓ ଲ୍ୟାମ୍ପସ୍‌ ଅଛି । ଗଞ୍ଜାମ ପାଇଁ ୨୦୫ ଏବଂ ଗଜପତି ନିମନ୍ତେ ୪୦ କୋଟି କୃଷିଋଣ ପ୍ରଦାନ ଲାଗି ସରକାରୀ ନିର୍ଦ୍ଦେଶ ଥିଲା। ତେବେ ଗଜପତି ଜିଲାରେ ୩୩ କୋଟି ୨୩ ଲକ୍ଷ ୧୩ ହଜାର ଟଙ୍କା ୮୧୮୧ ଚାଷୀଙ୍କୁ କୃଷିଋଣ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲାରେ ୫୫,୪୦୯ ଚାଷୀ ସଭ୍ୟଙ୍କୁ ୧୭୩ କୋଟି ୯୪ ଲକ୍ଷ ୦୯ ହଜାର ଟଙ୍କା କେବଳ ଖରିଫ ଧାନ ଫସଲ ନିମନ୍ତେ କୃଷିଋଣ ଦିଆଯାଇଛି।
ସରକାରୀ ନିୟମ ପ୍ରକାରେ ଯେଉଁ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡ (କେସିି) ଥିବ ସେମାନଙ୍କୁ ହିଁ ପିଏମ୍‌ ଫସଲ ବୀମାଭୁକ୍ତ କରାଯାଇଛି ଏବଂ ବୀମାଭୁକ୍ତ ଚାଷୀଙ୍କୁ ସମବାୟ କୃଷି ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର କୃଷିଋଣ ଲଗାଣ ନିରୁତ୍ସାହଜନକ ହେଉଥିବା ବେଳେ ଚାଷୀମାନେ ସମବାୟ ବ୍ୟାଙ୍କ ଉପରେ ସବୁବର୍ଷ ନିର୍ଭର କରୁଛନ୍ତି।