ବିସିସି ବ୍ୟାଙ୍କ କର୍ମଚାରୀ ପାଇବେ ବର୍ଦ୍ଧିତ ଦରମା

ବ୍ରହ୍ମପୁର ଅଫିସ,୨୬ା୨-ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ଥିବା ବ୍ୟାଙ୍କର ୨୩ ଶାଖା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ବର୍ଦ୍ଧିତ ହାରରେ ଦରମା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ସମବାୟ ନିବନ୍ଧକ (ରେଜିଷ୍ଟ୍ରାର)ଙ୍କ ନିର୍ଦ୍ଦେଶ ପ୍ରକାରେ ୨୦୧୯ ଜୁଲାଇରୁ କାର୍ଯ୍ୟକାରୀ ହେବ ଏବଂ ୮ ମାସର ବକେୟା ଟଙ୍କା ଓ ସରକାରଙ୍କ ଘୋଷଣା ଅନୁଯାୟୀ ୫% ମହଙ୍ଗା ଭତ୍ତା ଦେବା ପାଇଁ ଅନୁମୋଦନ କରାଯାଇଛି।
ଅପରପକ୍ଷରେ ଷଷ୍ଠ ବେତନ କମିଶନ ସୁପାରିସ ପ୍ରକାରେ ଏହି ସମବାୟ ବ୍ୟାଙ୍କ କର୍ମଚାରୀମାନେ ୨୦୦୬ ଆର୍ଥିକ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ପାଇ ନ ଥିଲେ। ପରବର୍ତ୍ତୀ ସମୟରୁ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ କରାଯାଇଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ କର୍ମଚାରୀଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ବକେୟା ଟଙ୍କା ବାବଦରେ ୬ କୋଟି ଦେବାକୁ ପଡ଼ିବାର ହିସାବ କରାଯାଇଛି। ଏହାକୁ ନେଇ ଡାଇରେକ୍ଟରମାନେ ତର୍ଜମା କରିଥିଲେ। ଏକକାଳୀନ ବକେୟା ପ୍ରାପ୍ୟ ଦିଆ ନ ଯାଇ ଚଳିତ ଆର୍ଥିକ ବର୍ଷରେ ୫୦% ଦିଆଯିବ ଓ ତନ୍ମଧ୍ୟରୁ ୨୫% ନଗଦ ଆକାରରେ ଏବଂ ଆଉ ୨୫% କର୍ମଚାରୀମାନଙ୍କ ସ୍ଥାୟୀ ଜମାରେ ରଖାଯିବ। ଆସନ୍ତା ଆର୍ଥିକ ବର୍ଷରେ ବକେୟା ପ୍ରାପ୍ୟର ୨୫% ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୨୫% ମଧ୍ୟ ବ୍ୟାଙ୍କ ଜମାଖାତାରେ ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ସଭାପତି ଅଲେଖ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଉପସଭାନେତ୍ରୀ ସିଏଚ୍‌ ତାରକେଶ୍ୱରୀଙ୍କ ସମେତ କୈଳାସ ରଣା, ସନ୍ତୋଷ କୁମାର ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ଏ. ଖଲି ରେଡ୍ଡୀ, ଗାୟତ୍ରୀ ଦଳାଇ, ବି. ତ୍ରିନାଥ, ଆର. ରାମପ୍ରସାଦ, ବି. ଧନଞ୍ଜୟଲୁ, ସଞ୍ଜୟ କୁମାର ସେଠୀ, ଆପନ୍ନା ସେଠୀ, ଆର.ସରସ୍ବତୀ ଓ ତମାଳ ନାୟକ ପ୍ରମୁଖ ଡାଇରେକ୍ଟରମାନେ ଯୋଗ ଦେଇଥିଲେ। ସରକାରୀ ମନୋନୀତ ଅଧିକାରୀ ଉପସ୍ଥିତ ଥିଲେ। ପରିଚାଳନା ବୋର୍ଡ ସମ୍ପାଦକ ତଥା ବ୍ୟାଙ୍କ ସିଇଓ ଭି.ତାରକା ନାଧମ ପ୍ରାରମ୍ଭିକ ସୂଚନା ସହ ଏଜେଣ୍ଡା ଉପସ୍ଥାପନ କରିଥିଲେ। ଚଳିତ ବର୍ଷର ରବି ଫସଲ ପାଇଁ ଚାଷୀଙ୍କୁ କୃଷି ଋଣ ଲଗାଣ ନେଇ ସମୀକ୍ଷା କରାଯାଇଥିଲା। ୨୦୭ କୋଟି ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳେ ଫେବୃୟାରୀ ୨୪ ସୁଦ୍ଧା ୧୦୮ କୋଟି କୃଷି ଋଣ ଦିଆଯାଇଥିବା କୁହାଯାଇଥିଲା। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଦିଆଯିବାର ବ୍ୟବସ୍ଥା ହୋଇଥିବା ବୈଠକର ବିବରଣୀରୁ ସୂଚନା ମିଳିଛି।