ବିଷ୍ଣୁପୁର ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ବାହାନଗା, ୨୮ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୧୬ ନମ୍ବର ସଂକ୍ରମିତ ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମରେ ଚିହ୍ନଟ ହେବା ପରେ ସୋମବାର ରାତିରେ ଜିଲା ପ୍ରଶାସନ ଗ୍ରାମ ଉଭୟ ପାର୍ଶ୍ୱର ୨ କିଲୋମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏହା ୭ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଗ୍ରାମର ମୋଟ ୧୨ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ପଣ୍ଡାସାହି ଛକ, ହନୁମାନ ସାହି ଛକ, ପତିରିପୁର ଛକ, ବଣିଆ ଛକ, ମୁରାରି ଛକ, ତଳସାହି ଛକ, ଅଭଣା ହାଇସ୍କୁଲ ରାସ୍ତା, ମହାଳିକ ସାହି ଛକ, ମାଝୀସାହି ଛକ, ଦେବେନ୍ଦ୍ରପୁର ଛକ, ବଗଦା ଛକ ଓ ବିଷ୍ଣୁପୁର ଗ୍ରାମର ମୁଖ୍ୟରାସ୍ତା ଝାଡତାର ଗ୍ରୀଡ୍‌ଛକକୁ ସିଲ୍‌ କରାଯାଇ କଡାକଡି କରାଯାଇଛି। ମଙ୍ଗଳବାର ଗ୍ରାମକୁ ଅଗ୍ନିଶମ ବିଭାଗ ଗାଡି ଦ୍ୱାରା ସାନିଟାଇଜ କରାଯାଇଛି। ଡାକ୍ତରୀ ଟିମ୍‌ ଦ୍ୱାରା ଗ୍ରାମର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ା ଏହି କଣ୍ଟେନମେଣ୍ଟ ଜୋନରେ ସାନିଟାଇଜର ସମେତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବାହାନଗା ବିଡିଓ ରଘୁନାଥ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଅଛନ୍ତି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲାର ବରିଷ୍ଠ ଔଷଧ ବିଶେଷଜ୍ଞ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ସଦର ଉପଜିଲାପାଳ ନିଲୁ ମହାପାତ୍ର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ଏହି ଅଧିକାରୀମାନେ ମଙ୍ଗଳବାର ବିଷ୍ଣୁପୁର ଗ୍ରାମରେ ଉପସ୍ଥିତ ଥିଲେ। ବିଷ୍ଣୁପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉକ୍ତ ସଂକ୍ରମିତଙ୍କ ସହ ଆଉ ୫ଜଣ ଯୁବକ ସଂଘରୋଧ ଭାବେ ରହିଥିଲେ। ସେମାନେ ସମସ୍ତେ କଲିକତାରୁ ଆସିଥିଲେ।