ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୩୭୮ ଛୁଇଁଛି। ଏଭଳି ସମୟରେ ସେଠାରେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଏକ ଗୁଜବ ଯୋଗୁଁ ଆଉ ୩୦୦ ଜଣଙ୍କ ଜୀବନ ଯାଇଛି। ଇଣ୍ଡଷ୍ଟ୍ରିଆଲ୍‌ ଆଲ୍‌କହଲ ପାନକଲେ କରେନା ସଂକ୍ରମଣରୁ ମୁକ୍ତି ମିଳୁଛି ବୋଲି ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି ହେବା ପରେ ଶୁକ୍ରବାର ବହୁ ସଂଖ୍ୟକ ଲୋକ ତାକୁ ପିଇଥିଲେ। ଏଥିରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଇଟାଲୀ, ସ୍ପେନ୍‌ ଓ ଚାଇନା ପରେ ଇରାନ ହେଉଛି ଚତୁର୍ଥ ଦେଶ, ଯେଉଁଠି କୋଭିଡ୍‌-୧୯ ସର୍ବାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବାଉଳା ହୋଇ ନାନା ଉପାୟ ଆପଣାଉଥିବାବେଳେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ବିଷାକ୍ତ ମେଥାନଲ ପିଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳୁଛି ବୋଲି ଏଥିରେ କୁହାଯାଇଥିଲା। ଉକ୍ତ ପୋଷ୍ଟିଂକୁ ବହୁସଂଖ୍ୟକ ଲୋକ ଶେୟାର କରିଥିଲେ। ଫଳରେ ତାହା ଭାଇରାଲ ହେବା ପରେ ଲୋକେ ଜୀବନ ବଞ୍ଚାଇବା ପାଇଁ ମେଥାନଲ ଖୋଜିବାରେ ଲାଗିଲେ। ଏହି ଇସ୍‌ଲାମିକ୍‌ ରାଷ୍ଟ୍ରରେ ମଦ୍ୟପାନ ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ମେଥାନଲ୍‌ ପିଇଥିଲେ। ଫଳରେ ସେମାନଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା। ଏଥିରେ ୩୦୦ ଜଣଙ୍କ ଜୀବନ ଯାଇଛି ଏବଂ ହଜାରେରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ପରାମର୍ଶଦାତା ଡକ୍ଟର ହୋସେନ ହସନୈନ୍‌ କହିଛନ୍ତି, ଅନ୍ୟ ଦେଶଗୁଡ଼ିକର କେବଳ ଗୋଟିଏ ସମସ୍ୟା ରହିଛି। ସେମାନେ କେବଳ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। କିନ୍ତୁ ଆମ ଦେଶ ଉପରେ ଦୁଇଟି ସଙ୍କଟ ସୃଷ୍ଟି ହୋଇଛି। ଏବେ ଆମେ ଉଭୟ କରୋନା ଭାଇରସ୍‌ ଓ ବିଷାକ୍ତ ମଦ ବିରୋଧରେ ଲଢ଼େଇ କରୁଛୁ।

ମୃତ୍ୟୁ ଆଣିଲା ସୋସିଆଲ ମିଡିଆ
ଜଣେ ୫ ବର୍ଷୀୟ ବାଳକକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ତା’ ମା’ବାପା ମେଥାନଲ୍‌ ଦେଇଥିଲେ। ଫଳରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ଅନ୍ଧ ହୋଇଯାଇଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛି। କେବଳ ସେହି ଶିଶୁ ନୁହେଁ, ବିଷାକ୍ତ ମଦ ପିଇ ଇରାନର ବହୁସଂଖ୍ୟକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି।

Share