Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିନଶିପ୍‌: ୩୦୦୦ମି. ଷ୍ଟିପଲଚେଜ୍‌ ଫାଇନାଲରେ ଅବିନାଶ

ଦୋହା,୨।୧୦(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତର ଅବିନାଶ ସାବଲ୍‌ ପୁରୁଷ ୩୦୦୦ ମି. ଷ୍ଟିପଲଚେଜ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମେ ସେ ହାସଲ କରିଥିବା ଜାତୀୟ ରେକର୍ଡଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ତାଙ୍କ ଜାତୀୟ ରେକର୍ଡ ୮: ୨୮. ୯୪ ଥିଲା। ତେବେ ସେ ପ୍ରଥମ ରାଉଣ୍ଡ ହିଟ୍‌ ନମ୍ବର ୩ରେ ଏହାଠାରୁ ଉନ୍ନତ ୮ ମି. ୨୫.୨୩ ସେକେଣ୍ଡ ସମୟ ନେଇ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ମୋଟ ଉପରେ ୪୪ଜଣ ଆଥଲେଟଙ୍କ ମଧ୍ୟରୁ ସେ ୨୦ତମ ସ୍ଥାନରେ ରହିଥିଲେ। ତେବେ ଦୌଡ଼ ଅବସରରେ ୨ଟି ଘଟଣାର ସମ୍ମୁଖୀନ ହୋଇଥିଲେ ଓ ଏହା ଦ୍ୱାରା ତାଙ୍କ ଦୌଡ଼ରେ ବାଧା ସୃଷ୍ଟି ହୋଇଥିଲା। ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏ ନେଇ ଅପିଲ କରିଥିଲା। ଦୌଡ଼ ଅବସରରେ ତାଙ୍କ ଦୁଇଥର ବାଧାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଏଏଫ୍‌ଆଇ ଦର୍ଶାଇଥିଲା। ଶେଷରେ ଅବିନାଶଙ୍କ ସପକ୍ଷରେ ଆଇଏଏଏଫ୍‌ ନିଷ୍ପତ୍ତି ନେଇଥିଲା। ଏବେ ସେ ଅନ୍ୟମାନଙ୍କ ସହ ଫାଇନାଲରେ ଅଂଶଗ୍ରହଣ କରିବେ ବୋଲି ଏଏଫ୍‌ଆଇ ଯୋଜନା କମିଶନ ଚେୟାରମ୍ୟାନ ଲଳିତ୍‌ ଭାନୋଟ କହିଛନ୍ତି। ଅବିନାଶ ଫାଇନାଲରେ ୧୬ତମ ପ୍ରତିଯୋଗୀ ଭାବେ ଦୌଡ଼ିବା ସ୍ପଷ୍ଟ ହୋଇଛି।

Share