ବିଶ୍ୱର ଶ୍ରେଷ୍ଠ ଏନ୍‌ଜିଓ ତାଲିକାରେ କିସ୍‌

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ଲଗାତାର ଚତୁର୍ଥ ଥର ପାଇଁ ନନ୍‌-ପ୍ରଫିଟ୍‌ ଆଇଭି ଲିଗ୍‌ରେ ସ୍ଥାନ ପାଇଛି। ବିଶ୍ୱର ଶ୍ରେଷ୍ଠ ୫ଶହ ଏନ୍‌ଜିଓ ମଧ୍ୟରେ କିସ୍‌ ୧୮୯ତମ ସ୍ଥାନରେ ରହିଛି। ନିକଟରେ ଏନ୍‌ଜିଓ ଆଡ୍‌ଭାଇଜର ନାମକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ୨୦୧୯ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ମଧ୍ୟ କିସ୍‌ ଶ୍ରେଷ୍ଠ ୫ଶହ ଏନ୍‌ଜିଓ ମଧ୍ୟରେ ୨୨୩ତମ ସ୍ଥାନରେ ରହିଥିଲା। କିସ୍‌ ନିଜର ଆଉଟ୍‌ଷ୍ଟାଣ୍ଡିଂ ଇମ୍ପାକ୍ଟ ଇନୋଭେଶନ ଓ ଗଭର୍ନାନ୍ସ ପାଇଁ ପ୍ରଥମେ ବିଶ୍ୱର ହଜାରେ ଏନ୍‌ଜିଓ ମଧ୍ୟରେ ସ୍ଥାନ ପାଇଥିଲା। ଏନ୍‌ଜିଓ ଆଡ୍‌ଭାଇଜର ହେଉଛି ଜେନେଭାସ୍ଥିତ ଏକ ସ୍ବାଧୀନ ଗଣମାଧ୍ୟମ ସଂସ୍ଥା। ଏହା ବିଶ୍ୱର ବଛାବଛା ଏନ୍‌ଜିଓଗୁଡ଼ିକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ଶ୍ରେଷ୍ଠ ୫ଶହ ତାଲିକା ପ୍ରକାଶ କରିଥାଏ। ନିକଟରେ ପ୍ରକାଶ ପାଇଥିବା ସଂସ୍ଥାର ୬ଷ୍ଠ ସଂସ୍କରଣରେ ଅଣଲାଭଦାୟକ ଅନୁଷ୍ଠାନଗୁଡ଼ିକର ଅନୁସୃଜନ, ପ୍ରଭାବ ଓ ପରିଚାଳନାକୁ ଗୁରୁତ୍ୱ ଦେଇ ସେହି ଅନୁସାରେ ସେମାନଙ୍କର ର଼୍ୟାଙ୍କିଙ୍ଗ୍‌ କରାଯାଇଛି। ଖବରରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍‌ର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ, ଜନଜାତି ସମୁଦାୟ, ଛାତ୍ରୀଛାତ୍ରଙ୍କ ନିଷ୍ଠାପର ଉଦ୍ୟମ ଓ ଶୁଭେଚ୍ଛୁଙ୍କ ଶୁଭେଚ୍ଛା ଯୋଗୁ ଏହା ସମ୍ଭବ ହୋଇପାରିଛି। ଦିନକୁ ଦିନ କିସ୍‌ର ପରିଚିତି ବୃଦ୍ଧି ପାଉଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ସୁନାମ ବଢ଼ିବାରେ ଲାଗିଛି ବୋଲି ସାମନ୍ତ କହିଛନ୍ତି।