‘ବିଶ୍ୱରେ ଶାନ୍ତି ସ୍ଥାପନରେ ବୌଦ୍ଧ ଧର୍ମର ଅବଦାନ ଗୁରୁତ୍ୱପୂର୍ଣ୍ଣ’

ଅମରପାଲି, ୨୬।୯ (ଡି.ଏନ.ଏ): ଭଗବାନ ବୁଦ୍ଧ ଥିଲେ ଅହିଂସାର ପ୍ରଚାରକ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୌଦ୍ଧ ଧର୍ମ ନିଜର ସାରଲ୍ୟ ଯୋଗୁଁ କେବଳ ଭାରତ ବର୍ଷ ନୁହେଁ, ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଧର୍ମ ଭାବରେ ପରିଗଣିତ ହୋଇଥିଲା। ସମ୍ପ୍ରତିକ ବିଶ୍ୱରେ ଅହିଂସାର ପ୍ରମୁଖ ଭୂମିକା ରହିଛି ବୋଲି ବୀରମହାରାଜପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ଇତିହାସ ବିଭାଗ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଭାଗୀୟ ମୁଖ୍ୟ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ଥିଲା ‘ବୌଦ୍ଧ ଧର୍ମ ଜୀବନର ଏକ ପ୍ରବାହ’। ଏହି ଆଲୋଚନାଚକ୍ରରେ ଇଂଲିଶ ବିଭାଗ ମୁଖ୍ୟ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି ଏବଂ ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟନାରାୟଣ ଦାଶ ଓ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ବିଷୟ ବିଶାରଦ ଭାବେ ଯୋଗଦେଇ ମତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଗଦାଧର ପଧାନ, ଅମୃତାମୟୀ ସିଂ, ବିବେକାନନ୍ଦ ପୁରୋହିତ, କଲ୍ୟାଣୀ ମହାଲିଙ୍ଗ, ଗଣେଷ ଭରାସାଗର, ବିଶ୍ୱଜିତ ଦାଶ ଓ ଟୁନା ମେହେର ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ରକୁ ଅଧ୍ୟାପିକା ବନ୍ଦିତା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ମନିଷା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।