Categories: ଖେଳ

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି।
ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୨ତମ ମିନିଟ୍‌ରେ ସାଦ୍‌ ଉଦ୍ଦିନଙ୍କ ହେଡର ଜରିଆରେ ଭ୍ରମଣକାରୀ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଦଳ ୩ ପଏଣ୍ଟ ସହିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଥିଲା। ଭାରତର ତାରକା ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମ୍ୟାଚ ଶେଷ ଆଡ଼କୁ ଗତି କରୁଥିବାବେଳେ ୮୮ତମ ମିନିଟ୍‌ରେ ବ୍ରେଣ୍ଡନ ଫର୍ନାଣ୍ଡିଜଙ୍କ କର୍ନର କିକ୍‌କୁ ଆଦିଲ୍‌ ଖାଁ ହେଡ୍‌ ଜରିଆରେ ଗୋଲରେ ପରିଣତ କରି ଭାରତର ସମ୍ମାନ ରଖିଥିଲେ। ଏହି ଗୋଲ ଫଳରେ ମ୍ୟାଚ ୧-୧ ସ୍ତରକୁ ଚାଲି ଆସିଥିଲା। ଏଠାରେ ପରାଜିତ ହୋଇଥିଲେ ଭାରତର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ମଉଳି ଯାଇଥାନ୍ତା। ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ବର୍ତ୍ତମାନ ୧୦୪ ତମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ଏହାଠାରୁ ୮୩ ସ୍ଥାନ ନିମ୍ନରେ ରହିଛି। ତେଣୁ ମ୍ୟାଚରେ ଆୟୋଜକ ଦଳକୁ ଫେଭରାଇଟ ବିବେଚନା କରାଯାଉଥିଲା। ଏହି ମ୍ୟାଚ ଦେଖିବା ଲାଗି ୬୫,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମର ଟିକେଟ ବିକ୍ରି ସରିଥିଲା। ଘରୋଇ ପରିବେଶରୁ ଭରପୂର ସମର୍ଥନ ସତ୍ତ୍ୱେ ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ମ୍ୟାଚ ଡ୍ର ରହିବା ଦ୍ୱାରା ଦଳକୁ ମାତ୍ର ଗୋଟିଏ ପଏଣ୍ଟ ମିଳିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ଓମାନଠାରୁ ୧-୨ ଗୋଲରେ ହାରି ଥିବାବେଳେ ଏସୀୟ ଚାମ୍ପିୟନ କାତାର ସହିତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଭାରତ ୩ ମ୍ୟାଚରୁ ୨ ପଏଣ୍ଟ ପାଇଥିବାବେଳେ ବାଂଲାଦେଶ ସମାନ ମ୍ୟାଚରୁ ୧ ପଏଣ୍ଟ ପାଇ ଟେବୁଲର ନିମ୍ନରେ ରହିଛି। ଭାରତ ଶେଷ ଥରପାଇଁ ୧୯୯୯ରେ ସାଫ୍‌ ଗେମ୍ସରେ ବାଂଲାଦେଶକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହା ପରଠାରୁ ଦଳ କେବେହେଲେ ବାଂଲାଦେଶକୁ ହରାଇ ପାରିନାହିଁ। ୨୦୧୩ରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଓ ୨୦୧୪ରେ ୨-୨ ଗୋଲରେ ଡ୍ର ରହିଥିଲା। କ୍ୱାଲିଫାଇଂ ମ୍ୟାଚକୁ ମିଶାଇ ବାଂଲାଦେଶ ବିପକ୍ଷରେ ମ୍ୟାଚ ଡ୍ର ରଖିବାରେ ଭାରତ ହ୍ୟାଟ୍ରିକ କରିଛି।

Share