ବିଶ୍ୱକପ୍‌ରେ ଅଜବ ସଂଯୋଗ

କ୍ରିକେଟ ବିଶ୍ୱକପର ଗତ ୩ ସଂସ୍କରଣରେ ଏକ ଅଜବ ସଂଯୋଗ ଦେଖାଦେଇଛି। ୨୦୦୭ (ଓ୍ବେଷ୍ଟଇଣ୍ଡିଜ), ୨୦୧୧ (ଭାରତ) ଓ ୨୦୧୫ (ଅଷ୍ଟ୍ରେଲିଆ) ବିଶ୍ୱକପ୍‌ରେ ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ଦଳ ହିଁ ଚାମ୍ପିୟନ ହୋଇଛି। ଓ୍ବେଷ୍ଟଇଣ୍ଡିଜଠାରେ ଆୟୋଜିତ ୨୦୦୭ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ସ୍କଟଲାଣ୍ଡ ବିପକ୍ଷରେ ୧୧୩ ରନ୍‌ର ଇନିଂସ ଖେଳିଥିଲେ। ଫାଇନାଲରେ ତାଙ୍କ ଦଳ ଶ୍ରୀଲଙ୍କାକୁ ହରାଇ ୪ର୍ଥ ଥର ଚାମ୍ପିୟନ ହୋଇଥିଲା। ପରବର୍ତ୍ତୀ ସଂସ୍କରଣ ୨୦୧୧ ବିଶ୍ୱକପ୍‌ ଭାରତରେ ଆୟୋଜିତ ହୋଇଥିଲା। ବାଂଲାଦେଶ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ବୀରେନ୍ଦ୍ର ସେହ୍ବାଗ ୧୭୫ ରନ୍‌ର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ବିରାଟ କୋହଲି ମଧ୍ୟ ଶତକ ଲଗାଇଥିଲେ। ହେଲେ ସେହ୍ବାଗ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୨୦୧୧ ବିଶ୍ୱକପ୍‌ରେ ଶତକ ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ସେହିଭଳି ୨୦୧୫ ବିଶ୍ୱକପ୍‌ରେ ଆରୋନ ଫିଞ୍ଚ ଇଂଲଣ୍ଡ ବିପକ୍ଷରେ ୧୩୫ ରନ୍‌ର ଇନିଂସ ଖେଳିଥିଲେ। ଏହା ଥିଲା ଅଷ୍ଟ୍ରେଲିଆରେ ଆୟୋଜିତ ଇଭେଣ୍ଟର ପ୍ରଥମ ଶତକ। ଆୟୋଜକ ଦଳ ଫାଇନାଲରେ ପଡୋଶୀ ତଥା ଅନ୍ୟତମ ଆୟୋଜକ ନ୍ୟୁଜିଲାଣ୍ଡକୁ ହରାଇ ୫ମ ବିଶ୍ୱକପ୍‌ ହାତେଇଥିଲା। ଏହି ସଂଯୋଗକୁ ନଜରରେ ରଖିଲେ ଇଂଲଣ୍ଡ ପ୍ରଥମ ଥର ବିଶ୍ୱକପ୍‌ ଜିତିବ। କାରଣ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଂଲଣ୍ଡର ଜୋ ରୁଟ୍‌ ଚଳିତ ବିଶ୍ୱକପ୍‌ର ପ୍ରଥମ ଶତକ ଲଗାଇଥିଲେ। ରୁଟ୍‌ଙ୍କ ବ୍ୟତୀତ ଜୋସ ବଟଲର ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ।

Share