ବିଶୋଧିତ ହେଉନି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ:ଟୁଇଟ୍‌ କରି ଅଭିଯୋଗ କଲେ ଆଇନଜୀବୀ

ପଟ୍ଟାମୁଣ୍ଡାଇ, ୨୬।୪ (ସ୍ବ.ପ୍ର.)-ମହାମାରୀ କରୋନାର ପ୍ରତିଷେଧକ ଟିକା ଏ ଯାଏ ବାହାରି ପାରି ନ ଥିବା ବେଳେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ଭୂତାଣୁ ଦୈନିକ ହଜାର ହଜାର ଜୀବନ ନେବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଜନଗହଳି ସ୍ଥାନ ଓ ରାସ୍ତାଘାଟକୁ ବିଶୋଧିତ କରାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମ୍ୟୁନିସିପାଲିଟି ଅଧୀନ ରାସ୍ତା ଓ ଗଳିରୁ ଅଳିଆ ସଫା ଓ ବିଶୋଧନ କାର୍ଯ୍ୟ ନାମକୁ ମାତ୍ର କରାଯାଉଛି। ପୌରପରିଷଦରେ ୫୮ ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ପୌରାଞ୍ଚଳରେ ସଫେଇ କାର୍ଯ୍ୟ ଠିକ୍‌ ଭାବେ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବରିଷ୍ଠ ଆଇନଜୀବୀ ବିଜୟ କେତନ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ, କେନ୍ଦ୍ରାପଡ଼ା ଜିଲାପାଳ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଟୁଇଟ କରି ଜଣାଇଛନ୍ତି।