ବିଶୋଧନାଗାର ତିଆରି କଲା ଖପୁରିଆ ଆଇଟିଆଇ

କଟକ ଅଫିସ,୮।୫: ଜ୍ଞାନକୌଶଳର ସଦୁପଯୋଗ କରି ଆଉ ଏକ ଦୃଷ୍ଟାନ୍ତମୂଳକ ଉଦ୍ଭାବନ କରିଛି ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲଗାତର ଭାବେ ଏଠାରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଯାନ୍ତ୍ରିକ ଉପକରଣ ତିଆରି ହେଉଛି। ଏହି ଆଇଟିଆଇର ଅଧ୍ୟକ୍ଷ ହୃଷୀକେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶୋଧନାଗାର ପ୍ରସ୍ତୁତ କରାଯାଇଥିବା ଗୁରୁବାର ସୂଚନା ଦିଆଯାଇଛି। ଏହି ବିଶୋଧନାଗାର ସେନ୍‌ସର ଦ୍ୱାରା କାର୍ଯ୍ୟ କରୁଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଏହି ବିଶୋଧନାଗାର ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ରହିବ।
କିଛିଦିନ ତଳେ ରାଜ୍ୟର ଏହି ପ୍ରମୁଖ ଆଇଟିଆଇରେ ପ୍ରସ୍ତୁତ ହୋଇଥିଲା ଦୁଇଟି ରୋବୋଟ୍‌। ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଉକ୍ତ ଦୁଇ ରୋବୋଟର ନାମ ଥିଲା କୋ-ବଟ୍‌ ଓ ନିଗା-ବଟ୍‌। ଏହା ପୂର୍ବରୁ ଫୁଟ୍‌ ଅପରେଟେଡ ସାନିଟାଇଜର ଓ ସାମ୍ପଲ ସଂଗ୍ରହ କିଓସ୍କ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ନୂତନ ଭାବେ ନିର୍ମିତ ହୋଇଥିବା ବିଶୋଧନାଗାର ମଧ୍ୟକୁ ଯେ କେହି ପ୍ରବେଶ କରି ଜୀବାଣୁମୁକ୍ତ ହୋଇପାରିବେ। ଏହି କକ୍ଷର ଉପର ଭାଗରେ ନୋଜଲ ମାଧ୍ୟମରେ ବିଶୋଧନ ଦ୍ରବ୍ୟର ଏକ ମିଶ୍ରଣ ସ୍ପ୍ରେ କରାଯାଉଛି। ମିଶ୍ରଣଟି ଜଳ ଓ ସୋଡିୟମ ହାଇପୋକ୍ଲୋରାଇଡ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହା ଭୂତାଣୁମୁକ୍ତ କରିବାରେ ସହାୟକ। ଅଧ୍ୟକ୍ଷ ମହାନ୍ତିଙ୍କ କହିବାନୁଯାୟୀ, ବିଶୋଧନାଗାରରେ ଏକ ମୋଟର ଓ ଟ୍ୟାଙ୍କର ଖଞ୍ଜାଯାଇଛି। ଥରେ ଟ୍ୟାଙ୍କର ଭର୍ତ୍ତି ହେଲେ ୧୫ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ କରୋନା ମୁକାବିଲା ନେଇ ଅନ୍ୟ କିଛି ଯାନ୍ତ୍ରିକ ଉପକରଣ ପ୍ରସ୍ତୁତ କରାଯାଉଥିବା ମହାନ୍ତି କହିଛନ୍ତି।