ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ପ୍ରଯୋଜକ ଭାବେ ରାଉତଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ଏହା କହିଛନ୍ତି।
ସୂଚନାଯୋଗ୍ୟ, ରବିବାର କେଶବଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଥିଲା। ସ୍ବର୍ଗତ ରାଉତ ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ପ୍ରଯୋଜନା କରିଥିବାବେଳେ ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ଥିଲେ। ଏହା ସହିତ ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜନା କରିଥିଲେ। ତାଙ୍କ ବିୟୋଗରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।