ବିମୋହିତ କଲା ଶିବ ତାଣ୍ଡବ

ତାଳଚେର,୨୭ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋସତ୍ବର ଅଷ୍ଟମ ସନ୍ଧ୍ୟା ବେଶ ଚିତ୍ତାକର୍ଷକ ଥିଲା। ମୁଖ୍ୟଅତିଥି ଭାବରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବରେ କଣିହାଁ ତହସିଲଦାର ଅଂଶୁମାନ ଶତପଥୀ, କଣିହଁା ବିଡିଓ ରମେଶ ଜେନା, ସହକାରୀ ଜିଲାପାଳ ସୁବାସ ଚନ୍ଦ୍ର ପ୍ରଧାନ, ପୌରପାଳିକାର ନିର୍ବାହୀ ଅଧିକାରୀ ଅତସୀ ପରିଡା, ସହକାରୀ ଜିଲାପାଳ ଗୌରୀ ନାଏକ, ସହକାରୀ ଯନ୍ତ୍ରୀ ବାବାଜୀ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ଜଗନ୍‌ ମୋହନ ଗଡନାୟକ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ପ୍ରଧାନ, ମୁରଲୀଧର ସାହୁ, ଗଗନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ ଓ ସଞ୍ଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ନିଉ କ୍ରିଏସନ୍‌ ଡ୍ୟାନ୍ସ ଗ୍ରୁପ୍‌, ବଅଁରପାଳ, ସାଉଥବଲଣ୍ଡାର ପିନାକୀ ନୃତ୍ୟ ନିଳୟ, ଅନନ୍ତ ବିହାରର ଚିଲିକା ଡ୍ୟାନ୍ସ ଏକାଡେମୀ ଏବଂ ଭୁବନେଶ୍ୱରର ଲୋକନାଥ କଳା ନିକେତନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ ଓ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ। ଏତଦ୍‌ବ୍ୟତୀତ ସୋଲଡା ଓ କରଡାବାହାଳ ମଧ୍ୟରେ ଏକ ବାଦିଦଣ୍ଡ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମସ୍ତ ନୃତ୍ୟ ଅନୁଷ୍ଠାନ ସମେତ ଜିଲା ଦଣ୍ଡ ଅନୁଷ୍ଠାନର ସଭାପତି ହରମୋହନ ସାହୁ, ବାଦିଦଣ୍ଡର ବିଚାରକ ଯୋଗେନ୍ଦ୍ର ବିଶ୍ୱାଳ, ଚିତ୍ତରଞ୍ଜନ ସ୍ବାଇଁ ଓ ପ୍ରହ୍ଲାଦ ସାହୁଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।