ବିମାନ ବନ୍ଦରରୁ ୪୮ ଖଣ୍ଡ ସୁନା ଜବତ

ଭୁବନେଶ୍ୱର, ୨୧। ୧(ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୧୫. ୬୦୦ ଗ୍ରାମ ଓଜନର ୪୮ ଖଣ୍ଡ ସୁନା ଜବତ କରାଯାଇଛି। ଏହି ସୁନାର ମୂଲ୍ୟ ୮ ଲକ୍ଷ ୯୧ ହଜାର ୫୦୬ ଟଙ୍କା ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚୋରା ସୁନା ଚାଲାଣରେ ସମ୍ପୃୃକ୍ତ ତାମିଲନାଡୁ ମଦୁରାଇ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି।
ସୋମବାର କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୧୭ ତାରିଖରେ କୁଆଲାଲମ୍ପୁରରୁ ବାହାରିଥିବା ଏୟାର ଏସିଆ ଫ୍ଲାଇଟ୍‌ ଏ.କେ-୩୧ ରାତି ପ୍ରାୟ ୯ଟାରେ ଭୁବନେଶ୍ୱରରେ ପହଞ୍ଚି ଥିଲା। ଏହି ବିମାନରେ ଚୋରା ସୁନା ଚାଲାଣ ହେଉଥିବା ନେଇ ପୂର୍ବରୁ ଏୟାର ଇଣ୍ଟେଲିଜେନ୍ସ ବିଭାଗର ଅଧିକାରୀମାନେ ଖବର ପାଇ ଯୋଜନା ମୁତାବକ ଜଗି ରହିଥିଲେ। ଏକେ ୩୧ ଫ୍ଲାଇଟରେ ଆସିଥିବା ପ୍ରତ୍ୟେକ ଯାତ୍ରୀ ଓ ସେମାନଙ୍କର ଲଗେଜ ବ୍ୟାଗକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଏହି ସମୟରେ ମଦୁରାଇର ଜଣେ ବ୍ୟକ୍ତିଙ୍କ ହ୍ୟାଣ୍ଡ ବ୍ୟାଗରୁ ୪୮ ଖଣ୍ଡ ସୁନା ମିଳିଥିଲା। ତାହାକୁ ଅଧିକାରୀମାନେ ଜବତ କରିଥିଲେ। ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବର ମାସରେ ଭୁବନେଶ୍ୱର ବିମାନ ବନ୍ଦରରୁ ୧ କେଜି ୩୧୦ ଗ୍ରାମର ଦୁଇଖଣ୍ଡ ସୁନା ବିସ୍କୁଟ ଓ ଗୋଲ୍ଡ ଡଷ୍ଟ ଜବତ କରାଯାଇଥିଲା। କୁଆଲାଲମ୍ପୁରରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନର ଜଣେ ଯାତ୍ରୀଙ୍କଠାରୁ ଏହି ସୁନାକୁ ଏୟାର କଷ୍ଟମ ବିଭାଗ ଜବତ କରିଥିଲା। ଯାତ୍ରୀ ଜଣଙ୍କ କେରଳର ବୋଲି ଜଣାପଡ଼ିିଥିଲା।