ବିମାନ ଉଡ଼ାଇଲେ ଆଦିବାସୀ ଝିଅ -ମାଲକାନଗିରି ଜିଲାର ପ୍ରଥମ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା

ମାଲକାନଗିରି,୮।୯(ଡି.ଏନ୍‌.ଏ.)ଆକାଶ ଛୁଇଁବା, ପକ୍ଷୀ ଭଳି ଉଡ଼ିବାର ଇଚ୍ଛା ଥିଲା। ଦୀର୍ଘ ୭ ବର୍ଷର ତାଲିମ ପରେ ଏବେ ତାହା ସାକାର ହୋଇଛି। ମାଲକାନଗିରି ଭଳି ଉପାନ୍ତ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ଆକାଶରେ ବିମାନ ଉଡ଼ାଇବା ପାଇଁ ଦେଖିଥିବା ସ୍ବପ୍ନ ପୂରଣ କରିଛନ୍ତି। ସେ ଏବେ ନିଜ ଜିଲାର ପ୍ରଥମ ମହିଳା ପାଇଲଟ ପାଲଟି ଯାଇଛନ୍ତି।
ଓଡ଼ିଶା ପୋଲିସ୍‌ରେ ହାବିଲଦାର ଭାବେ କାମ କରୁଥିବା ମାରିନିୟସ ଲାକ୍ରା ଓ ଗୃହିଣୀ ଜାମାଜ୍‌ ୟାସମିନ୍‌ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ମାଲକାନଗିରିସ୍ଥିତ ଦୀପ୍ତି କନ୍‌ଭେଣ୍ଟ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ ଅନୁପ୍ରିୟା। ସେଠାରୁ ପ୍ରାଥମିକ ପଢ଼ା ସାରି ସେମିଳିଗୁଡା ଜୀବନଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ପିଲାବେଳୁ ତାଙ୍କ ସ୍ବପ୍ନ ଥିଲା ପାଇଲଟ୍‌ ହେବା। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ିଥିଲେ। ପରେ ଭୁବନେଶ୍ୱରର ଏକ ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଇଲଟ୍‌ ତାଲିମ ପାଇଁ ଆବେଦନ କରିଥିଲେ। ପରେ ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏଥିରେ ଯୋଗ୍ୟ ବିବେଚିତ ହେବା ପରେ ୨୦୧୨ରୁ ଭୁବନେଶ୍ୱରସ୍ଥିତ ଏକ ପାଇଲଟ୍‌ ତାଲିମ କେନ୍ଦ୍ରରେ ତାଙ୍କର ସ୍ବତନ୍ତ୍ର ତାଲିମ ଆରମ୍ଭ ହୋଇଥିଲା। ଚଳିତ ମାସରେ ତାଲିମ ଶେଷ ହେବାପରେ ତାଙ୍କୁ ଏକ ଘରୋଇ କମ୍ପାନୀରେ କୋ-ପାଇଲଟ ଭାବେ ନିଯୁକ୍ତି ମିଳିଛି। ଆଦିବାସୀ ଅଞ୍ଚଳରୁ ଆସି ଏତେ ବଡ଼ ସ୍ବପ୍ନ ପୂରା କରିବା ସହଜ ନ ଥିଲା। ବାପା ମା’ଙ୍କ ଅବଦାନ ଓ ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ଏହା ସମ୍ଭବ ହେଲା ବୋଲି ଅନୁପ୍ରିୟା କହିଛନ୍ତି।