ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ମୃତାହତଙ୍କୁ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂର ଛାତ ଭୁଶୁଡ଼ିବା ଘଟଣାରେ କ୍ଷତିପୂରଣ ଦେବ ଠିକାଦାର ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକ୍‌ଶନ। ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ, ଆହତଙ୍କୁ ୫୦ହଜାର କ୍ଷତିପୂରଣ ଦେବାକୁ ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଠିକା ସଂସ୍ଥା ନ ଦେଲେ ଏଏଆଇ ତା ବିଲ୍‌ରୁ ଟଙ୍କା କାଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆସନ୍ତା ୧୧ ତାରିଖରେ କମିଶନଙ୍କ ନିକଟରେ ଠିକାସଂସ୍ଥା ଏବଂ ଏଏଆଇକୁ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ବିମାନବନ୍ଦର ଲିଙ୍କ୍‌ ବିଲ୍ଡିଂ ଛାତ ଶୁକ୍ରବାର ରାତିରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଚାପିହୋଇ ଇଲେଟ୍ରିସିଆନ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ନବକିଶୋର ସ୍ବାଇଁ ଆହତ ହୋଇଥିଲେ। ଏହି ଘଟଣାରେ ଦିଲୀପ କନ୍‌ଷ୍ଟ୍ରକ୍‌ଶନ କଣ୍ଟ୍ରାକ୍ଟର ଦିଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟର ଅଭିଳାଷ ସରକାର, ଆଶିଷ ସରକାର ଓ ବିମାନବନ୍ଦର ପ୍ରୋଜେକ୍ଟ ଇନଚାର୍ଜ ଗୌତମ ରାଏ। ଶନିବାର ଏମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ରାତିରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଶୁକ୍ରବାର ରାତିରେ ଦିଲୀପ ଏବଂ ଇଞ୍ଜିନିୟରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା। ଅନ୍ୟପଟରେ ଏହି କନ୍‌ଷ୍ଟ୍ରକ୍‌ଶନ ସଂସ୍ଥାର ଅନ୍ୟ କେଉଁମାନେ ଦୁର୍ଘଟଣା ପଛରେ ସଂପୃକ୍ତ, ତାହା ଜଣାପଡ଼ିିବା ପରେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ତେବେ ଯେଭଳି ଭାବେ ବିଲ୍ଡିଂ ଛାତ ଭୁଶୁଡ଼ିଲା, ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ନିମ୍ନ ମାନର କାର୍ଯ୍ୟ ନା ସେଣ୍ଟ୍ରିଂରେ ତ୍ରୁଟି ଯୋଗୁ ଏପରି ଘଟିଛି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ସେପଟେ ମୃତକ ଅନ୍ତର୍ଯ୍ୟାମୀଙ୍କ ଭାଇ ନିରାକାର ଗୁରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା(ନଂ-୧୯/୨୦) ରୁଜୁ କରି ସଂସ୍ଥାର ନିର୍ଦ୍ଦେଶକ ଦିଲୀପଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।