ବିଭିନ୍ନ ସମସ୍ୟା ନେଇ ସିପିଆଇର ଗଣବିକ୍ଷୋଭ

ଏରସମା,୨୭ା୫(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସିପିଆଇ ରାଜ୍ୟ ପରିଷଦ ଓ କୃଷକ ସଭାର ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବିଭିନ୍ନ ସମସ୍ୟାନେଇ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଛି। ଏରସମା ସିପିଆଇ କାର୍ଯ୍ୟାଳୟରୁ ସାମାଜିକ ଦୂରତା ରକ୍ଷାକରି ଜିଲା ସମ୍ପାଦକ ଅଭିଜିତ ସାହୁ ଓ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣ ବିକ୍ଷୋଭ କରିଥିଲେ।
ଏଥିରେ ଅମ୍ଫନ ବାତ୍ୟାର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବା, କୃଷି ଋଣ ଛାଡ, ବିନା ସୁଧରେ ନୂତନ କୃଷି ଋଣ ଯୋଗାଇ ଦେବା, ଟିକସ ଦେଉନଥିବା ସମସ୍ତ ଲୋକଙ୍କ ବିଜୁଳି, ପାଣି ବିଲ୍‌ ଓ ସମସ୍ତ ପ୍ରକାର ଇଏମଆଇ ୩ ମାସ ପାଇଁ ଛାଡ କରିବା, ନୂତନ ଚାଷ ପାଇଁ ଚାଷୀଙ୍କୁ ବିହନ ସାର ଓ କୀଟନାଶକ ମାଗଣାରେ ଯୋଗାଇଦେବା, ଶ୍ରମଆଇନର ସଂଶୋଧନକୁ ତୁରନ୍ତ ବାତିଲ କରିବା ସହିତ ୮ଘଣ୍ଟିଆ ଶ୍ରମ ଦିବସର ପୁନଃପ୍ରଚଳନ କରିବା, ଧାନ ବିକ୍ରି ପାଇଁ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ ସରକାର କ୍ରୟ କରିବା, ପ୍ରବାସୀ ଶ୍ରମିକ ପରିବାରକୁ ୧୦,୦୦୦ଟଙ୍କା କରୋନା ସହାୟତା ପ୍ରଦାନ କରିବା, ମନରେଗା କାର୍ଯ୍ୟକୁ ଠିକ ଭାବରେ କରିବା, ଛାତ୍ରୀଛାତ୍ରଙ୍କ ଫି ଛାଡ କରିବା ଆଦି ଦାବି ରହିଥିଲା। ଏସବୁ ଦାବିଗୁଡିକୁ ନେଇ ୨ଟି ଦାବିପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିପିଆଇ ଓ କୃଷକ ସଭା ପକ୍ଷରୁ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ରାମଚନ୍ଦ୍ର ମୁଦୁଲି, ସିପିଆଇ ଜୋନ ସହ ସମ୍ପାଦକ ସର୍ବେଶ୍ୱର ବେଉରା, ଯୁବସଂଘ ଜିଲା ସମ୍ପାଦକ ଦେବାଶିଷ ସ୍ବାଇଁ, ନଟବର ବାରିକ, ବାସୁଦେବ ଖଣ୍ଡୁଆଳ, ରବୀନ୍ଦ୍ର ପାଇଟଳ, ସନ୍ଧ୍ୟା ପ୍ରମାଣିକ ଓ ଅଜୟ ଗାଉଣିଆ ଉପସ୍ଥିତ ଥିଲେ। ସଭାକୁ ସିପିଆଇ ବ୍ଲକ ସମ୍ପାଦକ ବଂଶୀଧର ବେହେରା ଓ କୃଷକ ସଭାର ବ୍ଲକ ସଭାପତି ଦାମୋଦର ବେହେରା ପରିଚାଳନା କରିଥିଲେ।