ବିଭିନ୍ନ ଯୋଜନାର ସମୀକ୍ଷା କଲେ ଏମ୍‌ପି

ଜଟଣୀ, ୧ା୧୨(ଡି.ଏନ୍‌.ଏ.)
ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ସଭାଗୃହରେ ଶନିବାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ବାତ୍ୟା ଫନୀରେ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ତାଙ୍କ ପୂର୍ବ ଏମ୍‌ପିଙ୍କ ପାଣ୍ଠିରୁ ମଞ୍ଜୁର ଅର୍ଥ ତୁରନ୍ତ ବିନିଯୋଗ କରି ଅଟକି ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ ତାଗିଦ କରିଥିଲେ। ମିଶନ ଶକ୍ତିରେ ମହିଳାମାନଙ୍କ ପାଇଁ ବ୍ଲକ ପରିସରରେ ଏକ ଗୃହ ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା ତାଙ୍କ ପାଣ୍ଠିରୁ ପ୍ରଦାନ କରିବା ପାଇଁ କହିଥିଲେ। ଏଥିସହିତ ଜଳଯୋଗାଣ, ସାମାଜିକ ଓ ଖାଦ୍ୟ ସୁରକ୍ଷା ଆଦି ବିଭିନ୍ନ ଯୋଜନା ଉପରେ ଏମ୍‌ପି ସମୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ଏହି ସମୀକ୍ଷା ବୈଠକରେ ବିଡିଓ ବାସୁଦେବ ମାହାରୀ, ଅନ୍ୟ ଅଧିକାରୀଙ୍କ ସମେତ ଭାଜପା ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା, ସୁରଜ ପାଇକରାୟ,ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ରବିନାରାୟଣ ସ୍ବାଇଁ, ମ୍ୟୁନିସିପାଲିଟି ପ୍ରତିନିଧି ପ୍ରତାପ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।