ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୨୩।୧୨(ସ୍ବ.ପ୍ର.): ମଦ କାରବାରକୁ ବନ୍ଦ କରିବା ଓ ନଗ୍ନତା ଉପରେ କଟକଣା ଲଗାଇବା ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ଜିଲା ଆବାହକ ସଂଯୁକ୍ତା ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ କେନ୍ଦୁଝର ଜିଲାର ଶତାଧିକ ମହିଳା ଯୋଗଦେଇଥିଲେ। ମଦ ଲାଇସେନ୍ସ ବନ୍ଦ କରିବା, ଟିଭି ଇଣ୍ଟରନେଟରେ ନଗ୍ନତା, ଅଶ୍ଳୀଳତା, ହିଂସା, ଯୌନ ଉଦ୍ଦୀପକ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କରିବା, ନାରୀ ଓ ଶିଶୁମାନଙ୍କୁ ନିରାପତ୍ତା ଯୋଗାଇଦେବା, ନାରୀ ନିର୍ଯାତନା, ବଳାତ୍କାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ, ନାରୀ ଓ ଶିଶୁ ଚାଲାଣ ବନ୍ଦ କରିବା, ଡାହାଣୀ ଓ ଗୁଣିଗାରେଡି ସନ୍ଦେହରେ ହତ୍ୟା ରୋକିବା, ନାଗରିକତ୍ୱ ସଂଶୋଧନ ଆଇନ ପ୍ରତ୍ୟାହାର ଆଦି ଦାବି ନେଇ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତ ଆଇନ ଶୃଙ୍ଖଳା, ପରିବାର, ଗ୍ରାମ ତଥା ଅଞ୍ଚଳରେ ବୃଦ୍ଧି ପାଉଥିବା ହିଂସା ଓ ଅପରାଧ ପାଇଁ ମଦ ଦାୟୀ ବୋଲି ମହିଳାମାନେ ମତ ଦେଇଥିଲେ।