ବିଭିନ୍ନ ଦାବିରେ ଜିଲା ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ମାଲକାନଗିରି,୧୪।୧୧(ଡି.ଏନ୍‌.ଏ.): ଠିକାଦାରଙ୍କୁ ବାଲି, ମାଟି, ମୁରୁମ, ପଥର ସାମଗ୍ରୀର ଟ୍ରାନ୍‌ଜିଟ ପାସ୍‌, ରସିଦ ଦାଖଲ ନିଷ୍ପତିକୁ ପ୍ରତ୍ୟାହାର ଆଦି ୧୦ ଦଫା ଦାବିନେଇ ଗୁରୁବାର ଜିଲା ଠିକାଦାର ସଂଘ ପକ୍ଷରୁ ମାଲକାନଗିରି ଜିଲାର ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ପ୍ରଫୁଲ୍ଲ ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୩୦ଜଣ ଠିକାଦାର ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ର ନିର୍ବାହୀ ଯନ୍ତ୍ରୀ କେ.ବାରା ପ୍ରସାଦ ରାଓ, ଗ୍ରାମ୍ୟ ଉନ୍ନୟନ ବିଭାଜନ-୧, ରାସ୍ତା ଓ ଗୃହ ବିଭାଜନ, ପୌର ପରିଷଦ, ଗ୍ରାମ୍ୟ ଜଳ ଓ ପରିମଳ ମିଶନ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ସର୍ବ ଶିକ୍ଷା ଅଭିଯାନ ସମେତ ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାଦ କରିଛନ୍ତି। ମାଲକାନଗିରି ଜିଲାରେ କେବଳ ପଥର ଖଣି ଥିବା ବେଳେ ମାଟି, ମୁରୁମ ଓ ବାଲି ପାଇଁ କୌଣସି ଖଣି ନ ଥିବାରୁ ରସିଦ ପୈଠ କରିବା ସବୁଠାରୁ କଷ୍ଟକର ବ୍ୟାପାର। ତେଣୁ ପୂର୍ବଭଳି ନିୟମ ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।