ବିଭିନ୍ନରେ ଏକତ୍ୱର ଅନୁଭବ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ତଥାଗତ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଜନଗୋଷ୍ଠୀକୁ ବୌଦ୍ଧ, ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ ଖ୍ରୀଷ୍ଟିଆନ, ହଜରତ ମହମ୍ମଦଙ୍କୁ ଅନୁସରଣ କରୁଥିବା ଗୋଷ୍ଠୀକୁ ମୁସଲମାନ କହନ୍ତି। ସେ ଦୃଷ୍ଟିରୁ ବିଚାର କଲେ ହିନ୍ଦୁମାନେ ନିର୍ଦ୍ଦିଷ୍ଟ ଭାବରେ କାହାରିକୁ ଅନୁସରଣ କରିବାର ଦେଖାଯାଏ ନାହିଁ। କିନ୍ତୁ ହିନ୍ଦୁତ୍ୱର ପରିଭାଷା ଅତ୍ୟନ୍ତ ବ୍ୟାପକ ଓ ଉନ୍ନତ। ସାଧାରଣତଃ ଆମେ ଧରିନେଇଛୁ- ଯେଉଁମାନେ ବିଷ୍ଣୁ, ଶିବ, ଗଣପତି, ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଚୈତନ୍ୟ ଅଥବା ଦୁର୍ଗା, କାଳୀ, ଲକ୍ଷ୍ମୀ, ସରସ୍ବତୀ ଆଦି ନାନା ଦେବଦେବୀଙ୍କ ଉପାସନା କରନ୍ତି, ପୁନର୍ଜନ୍ମରେ ବିଶ୍ୱାସ କରନ୍ତି, ପିତୃପୁରୁଷଙ୍କର ଶ୍ରାଦ୍ଧ କରନ୍ତି, ନାନାପ୍ରକାର ଓଷାବ୍ରତ ଆଚରଣ କରନ୍ତି, ପୁରାଣ ବର୍ଣ୍ଣିତ ଉପାଖ୍ୟାନକୁ ବିଶ୍ୱାସ କରନ୍ତି, ଆଡ଼ମ୍ବର ସହକାରେ ପୂଜାପାର୍ବଣ ପାଳନ କରନ୍ତି, ନିଜର କର୍ମଶକ୍ତି ଏବଂ ସହଜବୋଧ ଉପରେ ଆସ୍ଥା ନ ରଖି ଗୁଣିଗାରେଡି ଓ ତନ୍ତ୍ରମନ୍ତ୍ରରେ ବିଶ୍ୱାସ ସ୍ଥାପନ କରନ୍ତି ଅଥବା କିଛି ନ କରି ଅନେକ କିଛି ପାଇବା ଆଶାରେ ତଥାକଥିତ ଗୁରୁ ବା ବାବାମାନଙ୍କ ପାଖରେ ଭିଡ ଜମାନ୍ତି- ସେହିମାନେ ହିଁ ହିନ୍ଦୁ ପଦବାଚ୍ୟ। ଟିକିଏ ଚିନ୍ତା କଲେ ଜାଣିପାରିବା ଯେ, ଏ ସମସ୍ତ ଆଚାର-ଆଚରଣ ହିନ୍ଦୁତ୍ୱର ମୂଳ ପରିଭାଷା ବା ମୌଳିକ ଦର୍ଶନ ନୁହେଁ। ବେଦ-ଉପନିଷଦର ଯେଉଁ ମୌଳିକ ଜ୍ଞାନକୁ ନେଇ ଆମେ ଗର୍ବ ଅନୁଭବ କରୁ ସେସବୁ ଆମର ବାସ୍ତବ ଆଚରଣ ଏବଂ ଜୀବନ ଦର୍ଶନରୁ ଦୂରେଇଯାଇ ପୋଥିପତ୍ର ଏବଂ ପାରାୟଣ-ପ୍ରବଚନରେ ସୀମିତ ହୋଇଯାଇଛି। ସେ ସମସ୍ତ ଶାସ୍ତ୍ରରେ ଆମର ସାମ୍ପ୍ରତିକ ଆଚାର ଆଚରଣ ଅଥବା ବହୁନୈଷ୍ଠିକତାର ବିଶେଷ ସମର୍ଥନ ନାହିଁ।
ମାନବ ସଭ୍ୟତାର ସୂର୍ଯ୍ୟୋଦୟରେ ହିନ୍ଦୁ ଋଷିମାନେ ନିଜର ସାଧନଲବ୍ଧ ଅକ୍ଷୟ ଜ୍ଞାନକୁ ଜଗତ ସମକ୍ଷରେ ପ୍ରକାଶ କରି ଘୋଷଣା କରିଥିଲେ- ‘ଏକଂ ସଦ୍‌ ବିପ୍ରାଃ ବହୁଧା ବଦନ୍ତି’। ଅର୍ଥାତ୍‌ ସେହି ଏକ ଏବଂ ଅଦ୍ୱିତୀୟ ଈଶ୍ୱରଙ୍କୁ ପଣ୍ଡିତମାନେ ନାନା ନାମରେ ନାମିତ କରିଥାନ୍ତି। କାଳର ଗତିରେ ହଜାର ହଜାର ବର୍ଷର ସଂଘର୍ଷ ପରେ ବେଦାନ୍ତର ଏହି ଅଦ୍ୱୈତ ଜ୍ଞାନ ହିନ୍ଦୁ ଦର୍ଶନରେ ପ୍ରତିଷ୍ଠିତ ହୋଇଛି। ଏ ଯୁଗରେ ମଧ୍ୟ ପରମ ପୁରୁଷ ଶ୍ରୀରାମକୃଷ୍ଣ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ସବୁ ମତରେ ସାଧନା କରି ସେହି ଅଦ୍ୱୈତ ସିଦ୍ଧାନ୍ତରେ ଉପନୀତ ହୋଇ ଘୋଷଣା କଲେ ଯେ ଜଳ, ପାନି ଏବଂ ଓ୍ବାଟର ମଧ୍ୟରେ ଯେପରି କୌଣସି ପ୍ରଭେଦ ନାହିଁ ଠିକ୍‌ ସେହିପରି ଈଶ୍ୱର, ଗଡ୍‌ ଏବଂ ଖୋଦା ମଧ୍ୟରେ ବି କୌଣସି ଭିନ୍ନତା ନାହିଁ। ତାଙ୍କର ଉତ୍ତରସୂରୀ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମଧ୍ୟ କହିଛନ୍ତି- ”ବାପାଙ୍କୁ ଯେଉଁ ଭାଷାରେ ହଁି ଡାକୁ ନା କାହିଁକି, ତାହା ବାପାଙ୍କୁ ହଁ ଡାକିବା- ଈଶ୍ୱରଙ୍କୁ ଯାହା କହି ଯେଉଁ ନାମରେ ହିଁ ଡାକୁନା କାହିଁକି, ତାହା ଈଶ୍ୱରଙ୍କୁ ହିଁ ଡାକିବା; ଆଉ ଯାହା ଧରି ତାଙ୍କ ଆଡକୁ ଆଗେଇଯିବା ହୁଏ- ତାହା ସଦ୍‌ଗୁରୁ ସନ୍ନିଧାନ।“ (ଶାଶ୍ୱତୀ)
ଈଶ୍ୱରଙ୍କ ସମ୍ବନ୍ଧରେ ଦ୍ୱୈତ ଭାବ ପୋଷଣ କରିବା ହେତୁ ଆସିଥାଏ ଅଜ୍ଞାନତା, ଅବିଶ୍ୱାସ, ବିଭେଦ, ବିଚ୍ଛିନ୍ନତା ଏବଂ ବହୁନୈଷ୍ଠିକତା। ହିନ୍ଦୁ ମତରେ ନାନା ପ୍ରକାର ଦେବଦେବୀଙ୍କର ଉପାସନା ସମ୍ବନ୍ଧରେ ମହାନିର୍ବାଣ ତନ୍ତ୍ରରେ କୁହାଯାଇଛି –
”ଏବଂ ଗୁଣାନୁସାରେଣ ରୂପାଣି ବିବିଧାନି ଚ।
କଳ୍ପିତାନି ହିତାର୍ଥାୟ ଭକ୍ତାନାଂ ସ୍ବଳ୍ପମେଧସାମ୍‌।ା’
ଅର୍ଥାତ୍‌ ସ୍ବଳ୍ପମେଧାସମ୍ପନ୍ନ ଭକ୍ତମାନଙ୍କ ପକ୍ଷରେ ନିର୍ବିଶେଷ ଈଶ୍ୱରଙ୍କୁ ଉପଲବ୍ଧି କରିବା ସମ୍ଭବ ନ ହେବାରୁ ସେହି ଅନନ୍ତବୀର୍ଯ୍ୟ ସତ୍ତାଙ୍କର ନାନା ଗୁଣାବଳୀକୁ ନାନା ଭାବୋଦ୍ଦୀପକ ମୂର୍ତ୍ତି ରୂପରେ କଳ୍ପନା କରି ଉପାସନାର ବ୍ୟବସ୍ଥା କରାଯାଇଥିଲା, ଯାହାଦ୍ୱାରା ସାଧାରଣ ଭକ୍ତବୃନ୍ଦ ସେମାନଙ୍କର ଉପାସନା କରି, ନିଜ ମଧ୍ୟରେ ସେହି ଗୁଣର କର୍ଷଣ କରି ଈଶ୍ୱର ସାନ୍ନିଧ୍ୟରେ ଉପନୀତ ହୋଇପାରନ୍ତି। ଯେପରି କି ଋଦ୍ଧି ଏବଂ ସିଦ୍ଧିର ଦେବତା ଗଣେଶ, ବିଦ୍ୟାଦାତ୍ରୀ ସରସ୍ବତୀ, ସମୃଦ୍ଧିର ପ୍ରତୀକ ଲକ୍ଷ୍ମୀ, ମାତୃଶକ୍ତିର ପ୍ରତୀକ ଦେବୀ ଦୁର୍ଗା ଇତ୍ୟାଦି। ସମସ୍ତ ଦେବଦେବୀଙ୍କର ମୂଳ ଉତ୍ସ କିନ୍ତୁ ଈଶ୍ୱର। ଶ୍ରୀଶ୍ରୀଠାକୁର କହିଛନ୍ତି- ”ଏକ ସ୍ରଷ୍ଟା ଅଦ୍ୱିତୀୟ ଅନନ୍ତ ସୃଜନ। ଯେତେସବୁ ଦେବଦେବୀ ତାଙ୍କର ପ୍ରକଟ ବୀର୍ଯ୍ୟ ବିଲକ୍ଷଣ।“ ଆମେ ଯେତେବେଳେ ଭକ୍ତିଶ୍ରଦ୍ଧାବିବର୍ଜିତ ହୋଇ ସେହି ଦେବଦେବୀଙ୍କ ମଧ୍ୟରେ ଅନୁସ୍ୟୁତ ଈଶ୍ୱରୀୟ ଗୁଣାବଳୀକୁ ବାସ୍ତବ ଜୀବନରେ କର୍ଷଣ କରିବା ଭୁଲି ଯାଇ କେବଳ ବାହ୍ୟ ଆଡମ୍ବରପୂର୍ଣ୍ଣ ପୂଜାପାଠ ଏବଂ ନାନାପ୍ରକାର ଔପଚାରିକତାରେ ନିଜକୁ ସୀମିତ କରିଦେଲେ, ସେତେବେଳେ ହିନ୍ଦୁମାନେ କ୍ରମେ କ୍ରମେ ହୋଇ ଉଠିଲେ ବହୁନୈଷ୍ଠିକ ଏବଂ ସମାଜରେ ଧର୍ମଚର୍ଯ୍ୟା ହୋଇଉଠିଲା ନିରର୍ଥକ ବାହ୍ୟାଡମ୍ବରପୂଣ୍ଣର୍ର୍ ଅନୁଷ୍ଠାନସର୍ବସ୍ବ। ଏ ସମ୍ବନ୍ଧରେ ଶାସ୍ତ୍ରର ନିର୍ଦ୍ଦେଶ ଅତ୍ୟନ୍ତ ସୁସ୍ପଷ୍ଟ-
”ଉତ୍ତମୋ ବ୍ରହ୍ମସଦ୍‌ଭାବୋ ଧ୍ୟାନଭାବସ୍ତୁ ମଧ୍ୟମଃ।
ସ୍ତୁତିର୍ଜପୋଽଧମୋ ଭାବୋ ବାହ୍ୟପୂଜାଽଧମାଧମଃ।ା“
(ମହାନିର୍ବାଣ ତନ୍ତ୍ର)
ଅନ୍ତଃସାରହୀନ ବାହ୍ୟପୂଜାକୁ ଶାସ୍ତ୍ରରେ ଅଧମାଧମ କୁହାଯାଇଛି। ଶ୍ରୀଶ୍ରୀଠାକୁର ହିନ୍ଦୁତ୍ୱର ସଂଜ୍ଞା ନିରୂପଣ କରି କହିଛନ୍ତି- ଯେଉଁମାନେ ପଞ୍ଚବର୍ହିଃ ବା ଆର୍ଯ୍ୟପଞ୍ଚାଗ୍ନିକୁ ସ୍ବୀକାର ଓ ଅନୁସରଣ କରନ୍ତି, ସେମାନେ ହିଁ ଆର୍ଯ୍ୟ ବା ହିନ୍ଦୁ ପଦବାଚ୍ୟ। ଆର୍ଯ୍ୟ ପଞ୍ଚବର୍ହିଃର ପ୍ରଥମ ଶ୍ଳୋକଟି ହେଲା- ”ଏକମେବାଦ୍ୱିତୀୟଂ ଶରଣମ୍‌।“ ଅର୍ଥାତ୍‌ ଏକ ଏବଂ ଅଦ୍ୱିତୀୟ (ଈଶ୍ୱର)ଙ୍କର ଶରଣ ନେଉଅଛି। ଏହା ହିଁ ହିନ୍ଦୁ ଦର୍ଶନର ବାସ୍ତବ, ବିଜ୍ଞାନସମ୍ମତ, ସାଧନଲବ୍ଧ ମୌଳିକ ସିଦ୍ଧାନ୍ତ। ଆମର ଯେତେ ପ୍ରକାର ପୂଜାର୍ଚ୍ଚନା ଏହି ମୌଳିକ ସତ୍ୟକୁ ହିଁ ପରିପୂରିତ କରିଥାଏ। ଯେ କୌଣସି ପୂଜାର୍ଚ୍ଚନାର ପ୍ରଥମେ ଯେଉଁ ବିଷ୍ଣୁ ସ୍ମରଣ (ଓଁ ବିଷ୍ଣୁଃ ଓଁ ବିଷ୍ଣୁଃ ଓଁ ବିଷ୍ଣୁଃ) କରାଯାଏ ତାହା ହିଁ ସୂଚାଇଦିଏ ଯେ ହିନ୍ଦୁମାନେ ବହୁପ୍ରକାର ପୂଜାର୍ଚ୍ଚନା ମଧ୍ୟରେ ସେହି ଏକତ୍ୱର ଅନୁଗମନ କରିଥାନ୍ତି। ଶ୍ରୀଶ୍ରୀଠାକୁର କହିଛନ୍ତି, ”ବିଭିନ୍ନରେ ଏକତ୍ୱର ଅନୁଭବ-ଏକତ୍ୱରେ ସବୈଶିଷ୍ଟ୍ୟ ବିଭିନ୍ନର ଅନୁଭୂତି-ସଂଶ୍ଳେଷୀ ଓ ବିଶ୍ଳେଷୀ ସାର୍ଥକତାରେ-ଯଥାଯଥ ବାସ୍ତବରେ- ବ୍ରହ୍ମାନୁଭୂତିର ମେରୁଦଣ୍ଡ ହିଁ ସେହିଠାରେ“ (ଶାଶ୍ୱତୀ- ୨୭୩)।
ଅସଲ କଥା ହେଲା ଆମର ଧର୍ମଧାରଣା ଏବଂ କର୍ମଜୀବନର ପ୍ରତି କ୍ଷେତ୍ରରେ ସେହି ବେଦାନ୍ତ ଧର୍ମ ବା ମୌଳିକ ହିନ୍ଦୁ ଦର୍ଶନର ଅଦ୍ୱିତୀୟ ଏକତ୍ୱର ଭାବକୁ ପୁନର୍ବାର ଆମର ଚେତନାର ନିୟାମକ ବା ଜୀବନାଦର୍ଶ ଭାବରେ ଗ୍ରହଣ କରିବାକୁ ହେବ। ନଚେତ୍‌ ଏହି ସୁପ୍ରାଚୀନ ଆର୍ଯ୍ୟ ଜାତି ଆତ୍ମବିସ୍ମୃତ ହୋଇ କେବଳ ନାମକା ବାସ୍ତେ ହିନ୍ଦୁ ବୋଲାଇ ଚାଲୁଥିବ। ଶ୍ରୀଶ୍ରୀଠାକୁର ଆଜିର ବିଚ୍ଛିନ୍ନ, ବିକେନ୍ଦ୍ରିକ, ସଂହତିହରା, ଦୁର୍ବଳ, ସଂକୀର୍ଣ୍ଣ-ସ୍ବାର୍ଥାନ୍ବେଷୀ, ଆଦର୍ଶଚ୍ୟୁତ ହିନ୍ଦୁ ଜନଗୋଷ୍ଠୀକୁ ଲକ୍ଷ୍ୟ କରି ଦୁଃଖାଭିଭୂତ ହୋଇ କହିଛନ୍ତି- ତୁମ୍ଭେମାନେ ସବୁ ସିଂହର ଶାବକ (ଅଦ୍ୱୈତର ଦାୟାଦ), ଆଜି ଆତ୍ମଚୈତନ୍ୟହରା ହୋଇ ଶୃଗାଳ ସାଜିଛ। ତେଣୁ ଯେଉଁମାନେ ଆଜି ହିନ୍ଦୁତ୍ୱର ବଡ଼ପଣ୍ଡା ସାଜି ନାନାପ୍ରକାର ତମ୍ବିତୋଫାନ ସୃଷ୍ଟି କରୁଛନ୍ତି ସେମାନେ ପ୍ରଥମେ ସେହି ଉଦାର ଅଦ୍ୱୈତ ଦର୍ଶନକୁ ଉପଲବ୍‌ଧି କରି, ସଂକୀର୍ଣ୍ଣ ସାମ୍ପ୍ରଦାୟିକ ମନୋଭାବରୁ ମୁକ୍ତ ହୋଇ ଯଥାର୍ଥ ହିନ୍ଦୁତ୍ୱର ଗୌରବମୟ ପରମ୍ପରାରେ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରି ତୋଳନ୍ତୁ-ଜାତୀୟ ଜୀବନରେ ପଞ୍ଚବର୍ହିଃର ଶାଶ୍ୱତ ନୀତିଗୁଡିକୁ ପ୍ରତିଷ୍ଠା କରନ୍ତୁ, ଯାହାଦ୍ୱାରା ହିନ୍ଦୁ ସମାଜର ଯଥାର୍ଥ ସ୍ବାର୍ଥରକ୍ଷା ଏବଂ ପ୍ରକୃତ ଉନ୍ନତି ସାଧିତ ହେବା ସଙ୍ଗେ ସଙ୍ଗେ ବିଶ୍ୱ ଦରବାରରେ ଭାରତବର୍ଷ ତାହାର ଗୌରବମୟ ଆସନ ଫେରିପାଇବ। ପଞ୍ଚବର୍ହିଃର ଅବଶିଷ୍ଟ ଚାରିଟି ଶ୍ଳୋକ ସମ୍ବନ୍ଧରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବାର ଆଶା ରହିଲା।
ନୟାପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri