ବିବାହ ପାଇଁ ବ୍ୟସ୍ତ ବିହାରୀ ଶ୍ରମିକ

ଅନୁଗୋଳ ଅଫିସ, ୧୬।୫ – ବିବାହ ପାଇଁ ତିଥି ନିର୍ଦ୍ଧାରଣ ସରିଛି। ଆଉ ହାତରେ ଅଧିକ ସମୟ ନାହିଁ। ସଙ୍ଗରୋଧ ଅବଧି ମଧ୍ୟ ସରିଗଲାଣି। ତୁରନ୍ତ ଆମକୁ ଗୋପାଳଗଞ୍ଜ ପଠାଅ। ନ ହେଲେ ଏଠାରେ ଆତ୍ମହତ୍ୟା କରିବୁ ବୋଲି ଅନୁଗୋଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୫ ବିହାରୀ ଶ୍ରମିକ ଶୁକ୍ରବାର ପ୍ରଶାସନକୁ ଏପରି ଧମକ ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଢେଙ୍କାନାଳ ଜିଲାରେ କାମ କରୁଥିବା ଏହି ବିହାରୀ ଶ୍ରମିକମାନେ ଗତ ଏପ୍ରିଲ ୨୭ ତାରିଖରେ ଚାଲି ଚାଲି ଯାଉଥିବା ବେଳେ ଅନୁଗୋଳ ଜିଲା ପ୍ରଶାସନ ଓ ପୋଲିସ ସେମାନଙ୍କୁ ଅଟକାଇଥିଲା। ପରେ ସମସ୍ତଙ୍କୁ ପୌରପାଳିକା ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଇତିମଧ୍ୟରେ ସେମାନଙ୍କ ୧୪ ଦିନିଆ ସଙ୍ଗରୋଧ ଅବଧି ଶେଷ ହୋଇଗଲାଣି। କିନ୍ତୁ ବିହାରରୁ କୌଣସି ଗାଡ଼ି ଏଯାଏ ଅନୁଗୋଳ ଆସି ନ ଥିବା ବେଳେ ଅନୁଗୋଳରୁ ମଧ୍ୟ ଗାଡ଼ି ଶ୍ରମିକଙ୍କୁ ଧରି ବିହାର ଅଭିମୁଖେ ବାହାରି ନାହିଁ। ତେଣୁ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ବିହାରୀ ଶ୍ରମିକମାନେ ଅଟକି ରହିଛନ୍ତି। ପ୍ରଶାସନ ଗାଡ଼ି ବ୍ୟବସ୍ଥା କରୁ ନ ଥିବାରୁ ସେମାନଙ୍କୁ ଚାଲି ଚାଲି ଯିବାକୁ ଦିଆଯାଉ ବୋଲି ଶ୍ରମିକମାନେ ଅଡ଼ି ବସିବା ସହ ଆଉ ଅଟକାଇଲେ ଆତ୍ମହତ୍ୟା କରିଦେବୁ ବୋଲି ଧମକ ଦେଇଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଶ୍ରମିକଙ୍କ ସମସ୍ୟା ନେଇ ଗୋପାଳଗଞ୍ଜ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବିହାରରୁ ଗାଡ଼ି ଆସିଲେ ଶ୍ରମିକମାନଙ୍କୁ ପଠାଯିବ। ନଚେତ୍‌ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ବିହାରରେ ପହଞ୍ଚାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।