ବିବାହିତା ମହିଳା ନିଖୋଜ; ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ କଲା ପୋଲିସ

ବାହାନଗା,୧୧ା୧୧(ଡି.ଏନ.ଏ.)-ଜଣେ ବିବାହିତା ମହିଳା ନିଖୋଜ ହେବା ଘଟଣା ନେଇ ତାଙ୍କ ବାପା ବାଲେଶ୍ୱର ଜିଲା ସୋର ଥାନାରେ ଗତ ୭ ତାରିଖରେ ଅଭିଯୋଗ କରିଥିଲେ। ସେହିଦିନ ପୋଲିସ ଘଟଣାର ତଦନ୍ତ କରିବା ବେଳେ ଏହି ମହିଳାଙ୍କ ଶାଶୁଘର କାନ୍ଥରେ ରକ୍ତଛିଟା ପଡିଥିବା ଦେଖିଥିଲେ। ଏହାପରେ ରବିବାର ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ସେଠାକୁ ଯାଇ ଘଟଣାର ତଦନ୍ତ କରି ଫେରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରୁଥିବା ଅନନ୍ତପୁର ଫାଣ୍ଡି ଅଧିକାରୀ ଏମ୍‌. ରହମନ ଏହି ସୂଚନା ଦେଇ କହିଛନ୍ତି ଯେ, ବାହାନଗା ବ୍ଲକ ଅଧୀନ ଚିତ୍ତଳ ପଞ୍ଚାୟତ ବାଲିକତ୍ତିରଣ ଗ୍ରାମର ଗୟାଧର ମଳିକଙ୍କ ବିବାହିତ ଝିଅ ଝୁନୁରାଣୀ ଅଭଣା ପଞ୍ଚାୟତ ବଗଦା ଗ୍ରାମର ଶାଶୁଘରେ ନିଖୋଜ ଥିବା ନେଇ ଅଭିଯୋଗର କରାଯିବା ବେଳେ ତାଙ୍କ ସ୍ବାମୀ ଫେରାର ଥିବାରୁ ତଦନ୍ତ ଅଧିକ ଆଗେଇ ପାରିନାହିଁ। ସେ ଧରାପଡିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଏହାମଧ୍ୟରେ ଗଁା ମଶାଣିକୁ ଯାଇ ତଦନ୍ତ କରି ଫେରିଛି। ଉଲ୍ଲେଖନୀୟ ଯେ, ଝୁନୁରାଣୀ ୫ ବର୍ଷ ତଳେ ବଗଦା ଗ୍ରାମର ସୁଦର୍ଶନ ଯେନାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ରହିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।