ବିପୁଳ କ୍ଷତି ସହିଲେଣି ପରିବା ଚାଷୀ, ବ୍ୟବସାୟୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୃଷି କାର୍ଯ୍ୟ ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟାକୁ ଅନୁମତି ଦିଆଯାଇଛି। ଏଭଳି ସଙ୍କଟ ସମୟରେ ଚାଷୀମାନେ ପରିବା ଚାଷ କରି ବଜାରକୁ ଛାଡୁଥିବାବେଳେ ବ୍ୟବସାୟୀମାନେ ମଧ୍ୟ ନାନା ହଟହଟା ହୋଇ ଖରାବର୍ଷାରେ ଲୋକଙ୍କୁ ପରିବା ଯୋଗାଉଛନ୍ତି। ହେଲେ ସବୁ ବିକ୍ରି ହୋଇପାରୁ ନ ଥିବାରୁ ବିଭିନ୍ନ ଦୋକାନ ନିକଟରେ ନଷ୍ଟ ପରିବା ଗଦା ଦେଖିବାକୁ ମିଳୁଛି। ଏପଟେ ବ୍ୟବସାୟୀମାନେ ସେହି ପରିମାଣର ପରିବା ଚାଷୀଙ୍କଠାରୁ ଉଠାଉ ନ ଥିବାରୁ ତାହା ବିଲରେ ପଚିଶଢ଼ି ନଷ୍ଟ ହେଉଛି। ଫଳରେ ଉଭୟ ବିପୁଳ କ୍ଷତି ସହୁଛନ୍ତି।
ବର୍ତ୍ତମାନ ରାଜ୍ୟରେ ପରିବା ଉତ୍ପାଦନ ଭଲ ହେଉଛି। କିନ୍ତୁ ବିଲରୁ ପରିବା ଉଠୁନି କି ଦୋକାନରୁ ଲୋକଙ୍କ ଘରେ ପହଞ୍ଚତ୍ପାରୁନି। ତେଣୁ ଚାଷୀ ଓ ବ୍ୟବସାୟୀଙ୍କୁ ମଧ୍ୟ ଠିକ୍‌ ମୂଲ୍ୟ ମିଳିପାରୁନି। ବେଳେବେଳେ ଦୋକାନୀମାନେ କିଣା ମୂଲ୍ୟଠାରୁ ମଧ୍ୟ କମ୍‌ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମିଳିଥିବା ସୂଚନାନୁସାରେ, ଉତ୍ପାଦନର ମାତ୍ର ୨୫ ପ୍ରତିଶତ ପରିବା ବିକ୍ରି ହେଉଛି। ବାକି ୭୫ ପ୍ରତିଶତ ପରିବା ଷ୍ଟକ୍‌ ରହି ନଷ୍ଟ ହେଉଛି। କ୍ଷତି ସହୁଥିବାରୁ ଚାଷୀ ଓ ବ୍ୟବସାୟୀ ପରିବା ବିକ୍ରି ପାଇଁ ମୁହଁ ମୋଡିଲେଣି। କେବଳ ଘରେ ବସି ରହିବା ଅପେକ୍ଷା ଲୋକଙ୍କ ଭୋକ ମେଣ୍ଟାଉ ମେଣ୍ଟାଉ ନିଜେ କ୍ଷତିର ବୋଝ ମୁଣ୍ଡାଇ ଚାଲିଛନ୍ତି। ତେଣୁ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ସହାୟତା ହେଉ କି ବାହାର ବଜାରକୁ ପଠାଇବା କିମ୍ବା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରିବାକୁ ପରିବା ଚାଷୀ ଓ ଦୋକାନୀ କହିଛନ୍ତି।
କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ପୂର୍ବରୁ ନିୟମିତଭାବେ ରାଜ୍ୟ ବାହାରୁ ଆଇଗିଣିଆ ଓ ୧ ନମ୍ବର ହାଟକୁ ୫୦ରୁ ୬୦ ଟ୍ରକ ପରିବା ଆସେ। ଲୋକାଲ ପରିବା ପ୍ରାୟ ୧୦୦ ଟ୍ରକ ଆସେ। ସେହିପରି ରାଜ୍ୟର ଅନ୍ୟ ପରିବା ମଣ୍ଡି ଓ ମାର୍କେଟକୁ ମଧ୍ୟ ସ୍ଥାନୀୟ ଅଞ୍ଚଳ ସମେତ ବାହାରୁ ମଧ୍ୟ ପରିବା ଯାଏ। ହେଲେ ସେହି ଅନୁସାରେ ଏବେ ବିକ୍ରି ହେଉନି କି ମୂଲ୍ୟ ବି ମିଳୁନି। ପରିବହନ ଉପରେ କଟକଣା, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ସବୁ ଜାଗାରେ ପହଞ୍ଚତ୍ ନ ପାରିବା, ହୋଟେଲ ଓ ଢ଼ାବା ଆଦି ବନ୍ଦ ରହିବା ସହ ସାମାଜିକ ଉତ୍ସବ, ବିବାହବ୍ରତ, ସଭାସମିତି ଓ ବୈଠକ ଆଦି ବନ୍ଦ ରହିବା ଏ ପରିସ୍ଥିତିର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।