ବିପଦ ସଙ୍କେତ ଉପରେ ମହାନଦୀ, କମେଇ : ବନ୍ୟାଜଳରେ ବୁଡ଼ିଲା ଫସଲ ଜମି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.): ୩ ଦିନ ଧରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି । ମହାନଦୀର ବିପଦ ସଙ୍କେତ ଜଳପତ୍ତନ ସ୍ତର ୫.୬୭ ମିଟର ରହିଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ୬.୮୫ ମିଟର ରହିଛି। ସେହିଭଳି କମେଇ ନଦୀର ବିପଦ ସଙ୍କେତ ଜଳପତ୍ତନ ସ୍ତର ୪୭.୪୩ ମିଟର ଥିବାବେଳେ ଏହା ବର୍ତ୍ତମାନ ୪୮.୪୫ ମିଟର ପହଞ୍ଚତ୍ଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଏବେ ମହାନଦୀର ବନ୍ୟା ଜଳ ବ୍ୟାକ ୱାଟର ଶୂଳିଆ-ଚୈତନ୍ୟପୁର-କୁମୁଣ୍ଡି ରାସ୍ତା ଉପରେ ପ୍ରବାହିତ ହେଉଥିବାବେଳେ ଦକ୍ଷିଣ ପାର୍ଶ୍ୱ ଧୋବାସାହି ନିକଟସ୍ଥ ସ୍ଲୁଇସ ଗେଟ୍‌ର ଲିକେଜ୍‌ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ମହାନଦୀ ଓ କମେଇ ବନ୍ୟାଜଳ ଆଖାପାଖର ସମସ୍ତ ଶସ୍ୟକ୍ଷେତ ଉପରେ ପ୍ରବାହିତ ହୋଇ ହାଇସ୍କୁଲ ନିକଟ ପଲ୍‌ଟନ ପଡିଆକୁ ସମ୍ପୂର୍ଣ୍ଣ ବୁଡ଼ାଇ ରଖିଛି  ଫଳରେ ସ୍ବାଧୀନତା ଦିବସ ଅବସରରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ପରେଡ଼ ବନ୍ଦ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଘଣାଶାଳିଆ, ବାଣପୁର, ଲକ୍ଷ୍ମୀପ୍ରସାଦ, ପଥରଚକଡା ଆଦି ଅଞ୍ଚଳର ଚାଷୀଙ୍କ ବିଭିନ୍ନ ପନିପରିବା, ମକା, ଧାନ, ଆଖୁ ଆଦି ଫସଲ ବନ୍ୟାରେ ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ନୟାଗଡ଼ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ପ୍ରସାଦ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀନବନ୍ଧୁ ରାଉତ ପ୍ରମୁଖ ବନ୍ୟା ପ୍ରଭାବିତ ପଦ୍ମାବତୀ, କରବର, ବଡବର, ମାଧପୁର, ପଥରଚକଡା, ଧାନଚେଙ୍ଗଡା, କଣ୍ଟିଲୋ, ବାଣପୁର ସିଧାମୂଳା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ବନ୍ୟାରେ ସେପରି କିିଛିି ବିପଦ ନ ଥିବା କଣ୍ଟିଲୋ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର ଦଳେଇ ସୂଚନା ଦେଇଛନ୍ତି ।