ବିପଦସଙ୍କୁଳ ପିଣ୍ଡାରେ ଚାଲିଛି ପାଠପଢ଼ା

ଚମ୍ପୁଆ,୨୩। ୮(ଡି.ଏନ.ଏ.)-ସରକାର ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷିତ ହାର ବୃଦ୍ଧି କରିବା ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ଶିକ୍ଷିତ ହାର ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ସାତହଳିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି। ଶ୍ରେଣୀଗୃହ ଅଭାବରୁ ଶିକ୍ଷକମାନେ କୁନି କୁନି ପିଲାମାନଙ୍କୁ ବର୍ଷାଦିନରେ ମଧ୍ୟ ପିଣ୍ଡାରେ ବସାଇ ପାଠ ପଢାଉଛନ୍ତି। ଏଥିପ୍ରତି ବ୍ଲକ ଶିକ୍ଷା ବିଭାଗର ଦୃଷ୍ଟି ପଡୁଛି ନା ପ୍ରଶାସନର ଦୃଷ୍ଟି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ସୂଚନା ଅନୁସାରେ ୧୯୫୪ ମସିହାରେ ନିର୍ମିତ ସାତହଳିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୯ ଛାତ୍ରୀଛାତ୍ରଙ୍କୁ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ମାତ୍ର ଏହି ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ରହିଛି। ତିନି ଗୋଟି ଶ୍ରେଣୀ ପାଇଁ କୋଠରି ରହିଥିବା ବେଳେ ଅନ୍ୟ ଦୁଇ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷକ ପିଣ୍ଡାରେ ବସାଇ ନିୟମିତ ପାଠ ପଢାଉଛନ୍ତି। ପୂର୍ବରୁ ରହିଥିବା ଶ୍ରେଣୀଗୃହ ବିପଦସଙ୍କୁଳ ହେବା ହେତୁ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଦୁଇ ଗୋଟି ଶ୍ରେଣୀରେ ପିଲାଙ୍କୁ ବସାଇ ପାଠ ପଢ଼ା ଯାଉଥିଲା। ମାତ୍ର ଏହା ଅସମ୍ଭବ ହେବାରୁ ବାଧ୍ୟ ହୋଇ ଶିକ୍ଷକ ପିଣ୍ଡାରେ ବସାଇ ପଢାଉଛନ୍ତି। ୯ ବର୍ଷ ତଳୁ ବିଦ୍ୟାଳୟର ଶ୍ରେଣୀଗୃହ ପାଇଁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି। ଏ ନେଇ ଚମ୍ପୁଆ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।