ବିପଦସଙ୍କୁଳ ଅବସ୍ଥାରେ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

ସୋରଡ଼ା,୨୫ା୭(ଡି.ଏନ.ଏ.)- ସୋରଡା ବ୍ଲକ ସୁରମଣି ପଞ୍ଚାୟତ ବିଷ୍ଣୁପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଚେରି, କାନ୍ଥ, କାର୍ଯ୍ୟାଳୟ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ଗୁରୁବାର ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ଅଧ୍ୟକ୍ଷା ଟିକିନା ଗୌଡ଼ଙ୍କ ତତ୍ତ୍ବାବଧାନରେ ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ସମସ୍ତ ସଦସ୍ୟଙ୍କ ସହ ଗ୍ରାମ ସଭାପତି ଦୟାନିଧି ଗୌଡ଼, ସମସ୍ତ ଅଭିଭାବକ, ସ୍ବୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ। ୨୦୦୪ରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ମାତ୍ର ୨ଟି କୋଠରିରେ ୫ ଶ୍ରେଣୀ ଚାଲୁଥିବାବେଳେ କାନ୍ଥ ଛାତର ଅବସ୍ଥା ଶୋଚନୀୟ ଓ ଚଟାଣ ଫାଟି ଗଲାଣି, ପାଚେରି ମଧ୍ୟ ଭୁଶୁଡ଼ି ପଡିଛି। ଆରମ୍ଭରୁ ବିଦ୍ୟାଳୟକୁ ବିଜୁଳି ସଂଯୋଗ ନଥିବା ଗ୍ରାମ ସଭାପତି ଗୌଡ଼ କହିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ସମସ୍ୟା ସମାଧାନ ପାଇଁ ୨୧ ଅଗଷ୍ଟ ୨୦୧୮ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଜଣାଇଥିଲୁ। ତଥାପି ଦୃଷ୍ଟି ପଡ଼ୁନି ବୋଲି ଗ୍ରାମବାସୀ କହିଥିଲେ। କୋଠା ନିର୍ମାଣ, ବିଜୁଳି ସଂଯୋଗ, ଷଷ୍ଠ ଶ୍ରେଣୀ ଖୋଲିବା ଉପରେ ବୈଠକରେ ଆଲୋଚନା ସହ ପ୍ରଶାସନକୁ ପତ୍ର ପ୍ରେରଣ ପାଇଁ ନିଷ୍ପତ୍ତି ହୋଇଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟ ରହିଥିବାରୁ ଏହାକୁ ପୁନଃନିର୍ମାଣ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା। ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ ପାଇଁ ସାମୂହିକ ନିଷ୍ପତ୍ତି ହୋଇଥିଲା।