ବିପଦପୂର୍ଣ୍ଣ ବାରଣ୍ଡାରେ ସ୍କୁଲର ମଧ୍ୟାହ୍ନଭୋଜନ

ନୂଆଗାଁ, ୭।୧୨(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭଙ୍ଗା ଘର ତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ମଧ୍ୟାହ୍ନଭୋଜନ ଖାଉଥିବା ଦେଖିବାକୁ ମିଳିଛି । ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ।
ଗୁମି କ୍ଲଷ୍ଟରରେ ଥିବା ୧୩ ଗୋଟି ସ୍କୁଲ ମଧ୍ୟରୁ କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଜଣ ପିଲା ପଢୁଛନ୍ତି। ସେମାନଙ୍କୁ ପଢାଇବା ପାଇଁ ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ପୂର୍ବରୁ ଆଜବେଷ୍ଟସ ଗୃହ ରହିଥିବା ବେଳେ କାଳକ୍ରମେ ସେଗୁଡିକ ନଷ୍ଟ ହୋଇଯିବାରୁ ସ୍କୁଲ ପରିସର ମଧ୍ୟରେ ପକ୍କା ଶ୍ରେଣୀଗୃହ ନିର୍ମାଣ କରାଯାଇ ପୁରାତନ ଗୃହକୁ ପରିତ୍ୟକ୍ତ ଘର ଭାବେ ଘୋଷଣା କରାଯାଇଛି । କିନ୍ତୁ ନୂତନ ଗୃହ ନିର୍ମାଣର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପୁରାତନ ଗୃହକୁ ଭଙ୍ଗାଯାଇ ନାହିଁ । ଦିନକୁ ଦିନ ଘରଗୁଡିକ ଅଧିକ ନଷ୍ଟ ହୋଇଯିବାରୁ ସ୍କୁଲ ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ଛାତ୍ରୀଛାତ୍ରମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ପୁରୁଣା ଘରକୁ ଭାଙ୍ଗିବା ପାଇଁ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ଦେଉ ନାହାନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ରୋଷେଇ ପରେ ସେହି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଅଧା ଭଙ୍ଗା ବାରଣ୍ଡାରେ ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି । କେବଳ କାପ୍ତାପଲୀ ପ୍ରାଥମିକ ବିଦ୍ୟାଳୟ ନୁହେଁ ସେହିଭଳି କଇଥପଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ବାପୁଜୀ ପ୍ରାଥମିକ ବିଦ୍ୟାଳୟ , ମକରାପଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ସୂତାକଟା ପ୍ରାଥମିକ ବିଦ୍ୟାଳୟ ଆଦି ଅନେକ ସ୍କୁଲରେ ନୂତନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ପୁରାତନ ଗୃହ ଗୁଡିକ ନ ଭାଙ୍ଗିବା ଫଳରେ ସେସବୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପରିତ୍ୟକ୍ତ ଗୃହଗୁଡିକ ଭଙ୍ଗା ନଯିବା ବିଷୟରେ ସର୍ବଶିକ୍ଷା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ଜେନାଙ୍କୁ ପଚାରିବାରେ ପରିତ୍ୟକ୍ତ ପୁରୁଣା ଶ୍ରେଣୀଗୃହକୁ ଭାଙ୍ଗିଦେବା ପାଇଁ ମୁଁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ସେମାନେ ନ ଶୁଣି ଭାଙ୍ଗିବା ପାଇଁ ଟଙ୍କା ଦିଆଗଲେ ଭାଙ୍ଗିବେ ବୋଲି କହୁଛନ୍ତି । ଯାହାକି ଆମ ପକ୍ଷେ ସମ୍ଭବ ନୁହେଁ । ସେହିପରି ବିପଦପୂର୍ଣ୍ଣ ଅବସ୍ଥାରେ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବିଷୟରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବିଷୟରେ ବୁଝି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି।