ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେ.ଭି ଲାଇନ ମରାମତି: ସୁରକ୍ଷା ସରଞ୍ଜାମ ବିନା କାର୍ଯ୍ୟ କରୁଛନ୍ତି ଠିକା ଶ୍ରମିକ

ଯାଜପୁର ରୋଡ,୧।୮(ନି.ପ୍ର): ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ନିୟମ ରହିଛି। କିନ୍ତୁ ନେସ୍କୋ ୟୁନିଟିରେ ଠିକା ଶ୍ରମିକଙ୍କୁ ବିନାସୁରକ୍ଷା ଉପକରଣରେ ବିପଦପୂର୍ଣ୍ଣ କାମରେ ଲଗାଉଛନ୍ତି। ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ ବିଦ୍ୟୁତ ବିଭାଗ ଅଧିନରେ ପୌରାଞ୍ଚଳର ଚୋରଦାଠାରୁ ନହକା ପର୍ଯ୍ୟନ୍ତ ୩୩କେ.ଭି ହାଇଭୋଲଟେଜ୍‌ ଲାଇନ ମରାମତି କାର୍ଯ୍ୟରେ। ଅଧିକାଂଶ ଖୁଣ୍ଟ ନିମ୍ନମାନର ହୋଇଥିବାରୁ ସାମାନ୍ୟ ବର୍ଷା ପବନରେ ବଙ୍କା ହୋଇଯାଉଛି। ଏପରି କି ଅଧିକାଂଶ ଖୁଣ୍ଟରେ ଶଙ୍ଖ ଫାଟିଯିବା ସହ ତାର ଛିଣ୍ଡିବା ନିତିଦିନଆ ଘଟଣାରେ ପରିଣତ ହୋଇଛି। ଫଳରେ ବିଦ୍ୟୁତ ସେବା ଘଣ୍ଟାଘଣ୍ଟା ଧରି ବ୍ୟାହତ ରହୁଛି। ନେସ୍କୋ ୟୁଟିଲିଟି ପକ୍ଷରୁ ଠିକାଦାର ମାଧ୍ୟମରେ ଠିକା ଶ୍ରମିକ ଦ୍ୱାରା କାର୍ଯ୍ୟ କରାଯାଉଛି। ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ନ ଯୋଗାଇ ୩୦ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚ ଖୁଣ୍ଟ ଉପରେ ଚଢାଇ ବିପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରାଯାଉଛି। ହ୍ୟାଣ୍ଡ ଗ୍ଲୋବ୍‌ସ, ସୁରକ୍ଷା ବେଲ୍ଟ, ଯୋତା ଓ ହେଲମେଟ ନ ଯୋଗାଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ରାତ୍ରିରେ କାର୍ଯ୍ୟ କରିବା ସମୟରେ ଟର୍ଚ୍ଚ ଲାଇଟ ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଶ୍ରମିକମାନେ ପରିବାର ପ୍ରତିପୋଷଣ କରିବା ପାଇଁ କମ୍‌ ଦରମାରେ କାର୍ଯ୍ୟ କରୁଛନ୍ତି। ସରକାର ଧାର୍ଯ୍ୟ କରିଥିବା ଦରମା ଅନୁସାରେ ସେମାନଙ୍କୁ ଠିକାଦାର ପାଉଣା ଦେଉନାହାନ୍ତି। ଏପରି କି କୈାଣସି ଦୁର୍ଘଟଣାରେ ମୃତ୍ୟୁହେଲେ ଠିକାଦାର କ୍ଷତି ପୂରଣ ମଧ୍ୟ ଦେଉ ନାହାନ୍ତି। ଏହି ଶ୍ରମିକମାନେ ନେସ୍କୋ ୟୁଟିଲିଟିର କର୍ମଚାରୀ ହୋଇ ନ ଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳିପାରୁ ନାହିଁ। ଠିକାଦାରମାନେ ଶ୍ରମିକମାନଙ୍କ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା କରୁନାହାନ୍ତି। ଏଥିପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବାସହ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜସେବୀ ପବିତ୍ର ମହାନ୍ତି ଦାବି କରିଛନ୍ତି।