ବିପଜ୍ଜନକ ଅବସ୍ଥାରେ ଘାଟି ରାସ୍ତା

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲା ଗୁମ୍ମା ବ୍ଲକ ନାମନଗଡ଼ରୁ ଅଜୟଗଡ଼ ଦୀର୍ଘ ୧୦କିମି ଘାଟି ରାସ୍ତା ଧୋଇ ହୋଇ ଏବେ ବିପଜ୍ଜନକ ଅବସ୍ଥାରେ ରହିଛି। ଏହି ଘାଟି ରାସ୍ତା ଗୁମ୍ମା ବ୍ଲକ ସଦର ସହ ଭୁବନୀ, ସେରଙ୍ଗ ଦେଇ ନୂଆଗଡ଼ ବ୍ଲକ୍‌କୁ ସଂଯୋଗ କରୁଛି। ରାସ୍ତା ପାର୍ଶ୍ୱରେ ଥିବା ବିଭିନ୍ନ ଗ୍ରାମ ଅଞ୍ଜଡ଼ା, ଅଜୟଗଡ଼, ନାମନଗଡ଼, ବନ୍ତଲଡ଼ା, ଆରବନ ଆଦିି ଗ୍ରାମବାସୀ ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଯିବାପାଇଁ ଏହି ରାସ୍ତା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି। ଅନ୍ୟପକ୍ଷରେ ଏହି ଗ୍ରାମବାସୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାପାଇଁ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେବେ ଏହି ରାସ୍ତା ଧୋଇ ହୋଇ ଖାଲଖମା ଭରି ହୋଇ ରହିଥିବାବେଳେ ମେଟାଲଗୁଡିକ ବିକ୍ଷିପ୍ତ ଅବସ୍ଥାେରେ ଚାରିଆଡ଼େ ପଡ଼ିରହିଛି। ଯେ କୌଣସି ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଗୁମ୍ମା ବ୍ଲକ୍‌ର ଘାଟି ରାସ୍ତାରେ ପୂର୍ବରୁ ବାରମ୍ବାର ଦୁର୍ଘଟଣା ଘଟିଥିବା ନଜିର୍‌ ରହିଛି। ତେବେ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।