ବିନା ହେଲମେଟ୍‌ରେ ପୋଲିସ:ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ ଅଫିସ,୪ା୩ – ପୋଲିସ ପକ୍ଷରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ ଗୋଡାଇ ଗୋଡାଇ ଧରୁଥିବାବେଳେ ଏଥିପାଇଁ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି। ତେବେ ଏହି ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ଭଳି ମନେହେଉଛି। କାରଣ ଗାଡି ଯାଞ୍ଚ କରୁଥିବା ଖୋଦ୍‌ ପୋଲିସ ହିଁ ଏହି ନିୟମ ମାନୁନାହାନ୍ତି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କଟକ କ୍ୟାଣ୍ଟନମେଣ୍ଟ ରୋଡରେ ଜଣେ ପୋଲିସ କର୍ମଚାରୀ ବିନା ହେଲମେଟ୍‌ରେ ବାଇକ ଚଳାଇ ଯାଉଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଆଦିତ୍ୟ ମହାରଣା ନାମକ ଯୁବକ ଏହି ଦୃଶ୍ୟକୁ ନିଜ ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରିଥିଲେ। ପରେ ଏହାକୁ ଟୁଇଟର୍‌ରେ ଅପଲୋଡ କରିବା ସହ ପୋଲିସ କମିଶନର ଓ କଟକ ଡିସିପିଙ୍କୁ ଟ୍ୟାଗ୍‌ କରିଥିଲେ। ସାଧାରଣ ଲୋକ ନିୟମ ଭାଙ୍ଗିଲେ ପୋଲିସ ତାଙ୍କୁ ଧରୁଛି ହେଲେ ପୋଲିସ ନିୟମ ଭାଙ୍ଗିଲେ କିଏ ତାଙ୍କୁ ଧରିବ ବୋଲି ଆଦିତ୍ୟ ଟୁଇଟ୍‌ରରେ ପ୍ରଶ୍ନ କରିଛନ୍ତି। ଟ୍ରାପିକ ନିୟମ ବାବଦକୁ ଲାଗୁଥିବା ମୋଟା ଅଙ୍କର ଜରିମାନାକୁ ନେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଅନେକ ସମୟରେ ବଚସା ହୋଇଥିବା ନଜିର ରହିଛି। ମାତ୍ର ଏହି ସମୟରେ ଜଣେ ପୋଲିସ କର୍ମଚାରୀ ବିନା ହେଲମେଟ୍‌ରେ ବାଇକ ଚଳାଇବା ଭିଡିଓ ଏବେ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।