ବିନା ହେଲମେଟରେ ପେଟ୍ରୋଲ ମନା

ଭଞ୍ଜନଗର,୧୫।୮(ଡି.ଏନ.ଏ)- ସେପ୍ଟେମ୍ବର ୧ରୁ ହେଲମେଟ୍‌ ବ୍ୟବହାର ଆଇନକୁ କଡ଼ାକଡ଼ି କରିବାକୁ ଯାଉଛି ଜିଲା ପ୍ରଶାସନ। ଏନେଇ ବୁଧବାର ଅପରାହ୍ନରେ ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଗୁରୁବାର ଠାରୁ ନିଶାସକ୍ତ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମରେ ଏଣିକି ନିଶାସକ୍ତ ଗାଡ଼ି ଚାଳକ ଗିରଫ ହେବେ। ସେପ୍ଟେମ୍ବର ୧ରୁ ବିନା ହେଲମେଟରେ ବାଇକ୍‌ ଚାଳକଙ୍କୁ ପେଟ୍ରୋଲ ଦେବାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ଯଦି କୌଣସି ଗାଡ଼ି ଚାଳକ ବିନା ହେଲମେଟରେ ପେଟ୍ରୋଲ ଦେବାକୁ ବାଧ୍ୟ କରନ୍ତି ତେବେ ବାଇକ୍‌ ମାଲିକଙ୍କୁ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଇ-ଚାଲାଣ ପଠାଯିବ। ପେଟ୍ରୋଲ ଟାଙ୍କିରେ ଲାଗିଥିବା କ୍ୟାମେରାକୁ ଆଧାର କରି ବିତରକ ଦୌନନ୍ଦିନ ସନ୍ଧ୍ୟାରେ ଆରଟିଓଙ୍କ ପାଖକୁ ବିନା ହେଲମେଟରେ ପେଟ୍ରୋଲ ପକାଉଥିବା ଗାଡ଼ି ନମ୍ବର ପଠାଇବେ। ଏହାପରେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି ମାଲିକଙ୍କ ନାମରେ ଇ-ଚାଲାଣ କଟାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ବିଭିନ୍ନ ପ୍ରମୁଖ ରାସ୍ତା ଗୁଡ଼ିକରେ ଲୋକେ ମନଇଛା ହମ୍ପସ ନିର୍ମାଣ କରୁଛନ୍ତି। କେତକ ସ୍ଥାନରେ ବିଭିନ୍ନ ବିଭାଗ ପକ୍ଷରୁ ଠିକ୍‌ ଭାବେ ହମ୍ପ୍ସ ନିର୍ମାଣ କରାଯାଉନାହିଁ। ଯେଉଁଥିପାଇଁ ଦୁର୍ଘଟଣା ଘଟୁଛି। ଉକ୍ତ ହମ୍ପ୍ସ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଆରଟିଓ ଏସ୍‌.ରୟ, ଭଞ୍ଜନଗର ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ, ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ, ପେଟ୍ରୋଲ ଟାଙ୍କି ବିତରକ ସୁନିଲ କୁମାର ପଟ୍ଟନାୟକ, ସତ୍ୟ ନାରାୟଣ ପ୍ରଧାନ, ଏସ୍‌.ସୁମନ ରାଓ, ଭଞ୍ଜନଗର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ମହାନ୍ତି, ଭଞ୍ଜନଗର ଜାତୀୟ ରାଜପଥ ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ସନ୍ତୋଷ ପୋଲାଇ, ନାଗେଶ୍ୱର ପାଣିଗ୍ରାହୀ, ଭଞ୍ଜନଗର ବସ୍‌ ଆସୋସିଏଶନ ନେତା ବିପ୍ର ଚରଣ ବାରିକ, ସୁବାସ ଚନ୍ଦ୍ର ଦିହୁଡ଼ି, ଭଞ୍ଜନଗର ଏବିଇଓ ହୃଷିକେଶ ସ୍ବାଇଁ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।