ବିନା ଭକ୍ତରେ ରଥଯାତ୍ରା ହେଉ: ରଘୁନାଥ ମହାପାତ୍ର

ପୁରୀ ଅଫିସ, ୧୩।୬: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ ନେଇ ଆଶା ଆଶଙ୍କା ଲାଗିରହିଛି। ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ଏଥର ବିନା ଭକ୍ତରେ ରଥଯାତ୍ରା କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଓ ରଥଯାତ୍ରା ହେବା ଆବଶ୍ୟକ। ପୁରୀ ସହରକୁ ଚାରିପଟୁ ସିଲ୍‌ କରି ବିନା ଭକ୍ତରେ ରଥଯାତ୍ରା ହେଉ। ପୋଲିସ ଏବଂ ସେବାୟତ ରଥ ଟାଣନ୍ତୁ। ପୁରୀବାସୀଙ୍କ ସମେତ ସମସ୍ତ ଶ୍ରଦ୍ଧାଳୁ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ। ଯଦି କରୋନାକୁ ନେଇ ପରିସ୍ଥିତି ଅଧିକ ଖରାପ ହୁଏ ତେବେ ରଥଯାତ୍ରା ନ ହେଲେ କିଛି ଅସୁବିଧା ନାହିଁ। ମହାପ୍ରଭୁଙ୍କ ପାତାଳି ସମୟରେ ମଧ୍ୟ ରଥଯାତ୍ରା ହୋଇ ନ ଥିଲା ବୋଲି ରଘୁନାଥ କହିଛନ୍ତି।