Categories: ବାଣିଜ୍ୟ

ବିନା ଟିକେଟ ଯାତ୍ରୀଙ୍କ ଠାରୁ ରେଲଓ୍ବେ ଆୟ କରିଛି ୧୩୭୭ କୋଟି

ନୂଆଦିଲ୍ଲୀ,୨୭-୮: ଗତ ୩ ବର୍ଷର ଭାରତୀୟ ରେଲଓ୍ବେ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ୧୩୭୭ କୋଟି ଟଙ୍କା ଆୟ କରିଛି। ଏଥିଯୋଗୁ ମନ୍ତ୍ରଣାଳୟର ଆୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପ୍ରାପ୍ତ ସୂଚନାରୁ ଏହା ଜଣାପଡିଛି। ୨୦୧୬ରୁ ୨୦୧୯ ମଧ୍ୟରେ ଏହି ଜରିମାନା ଓ ଟିକେଟ ମୂଲ୍ୟ ବାବଦରେ ଆଦାୟ ହୋଇଛି ବୋଲି ଉକ୍ତ ସୂଚନାରୁ ଜଣାପଡିଛି। ସୂଚନାଥାଉ କି, ୨୦୧୮ରେ ପାର୍ଲାମେଣ୍ଟର ଏକ କନଭେନ୍‌ଶନ କମିଟି ୨୦୧୬-୧୭ରେ ରେଲଓ୍ବେର ଆର୍ଥିକ ରିପୋର୍ଟ ଅନୁଧ୍ୟାନ କରିବା ପରେ ବିନା ଟିକେଟ ଯାତ୍ରୀଙ୍କ ଯୋଗୁ ରାଷ୍ଟ୍ରୀୟ ପରିବହନ ପ୍ରଭୁତ କ୍ଷତି ସହୁଥିବା ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଏହାପରେ ବିନା ଟିକେଟ ଯାତ୍ରୀଙ୍କ ବିରୋଧରେ ସାରା ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରେଲଓ୍ବେ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ୨୦୧୬-୧୭ରେ ୪୦୫.୩୦ କୋଟି ଟଙ୍କା, ୨୦୧୭-୧୮ରେ ୪୪୧.୬୨ କୋଟି ଓ ୨୦୧୮-୧୯ରେ ୫୩୦.୦୬ କୋଟି ଟଙ୍କା ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ଆୟ କରିଛି। ରେଲଓ୍ବେ ୨୦୧୮ ଏପ୍ରିଲରୁ ଜାନୁୟାରୀ ୨୦୧୯ ମଧ୍ୟରେ ୮୯ ଲକ୍ଷ ବିନା ଟିକେଟ ଯାତ୍ରୀଙ୍କୁ ଧରିଥିଲା। ସୂଚନାଥାଉ କି, ନିୟମ ଅନୁଯାୟୀ ବିନା ଟିକେଟ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଜରିମାନା ଏବଂ ଟିକେଟ ମୂଲ୍ୟ ଆଦାୟ କରାଯାଇଥାଏ।

Share