ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶହ ଶହ ଏକର ଚାଷଜମି ବାଲିଚର ହେବା ସହ ଅନେକ ଗରୀବଙ୍କ ଘର ଭୁଶୁଡି ପଡିଛି । ବୁଧବାର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଲାଞ୍ଜିଗଡ ଅଞ୍ଚଳର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ପ୍ରଥମେ ବିଧାୟକ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପରେ ପୋଖରୀବନ୍ଧ ପଞ୍ଚାୟତ ବିନାୟକପୁର, ଚମ୍ପାଦେଇପୁର ପଞ୍ଚାୟତର ଚନ୍ଦନପୁର, ଗୋପୀନାଥପୁର ପରିଦର୍ଶନ କରିଥିବା ବେଳେ ଛତ୍ରପୁରରୁ ବାତେରଲିମାକୁ ସଂଯୋଗ କରୁଥିବା ପୋଲ ନିକଟ ରାସ୍ତା ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଦେଖିଥିଲେ । ହେଲେ କାନକୁଟ୍ରୁ ପଞ୍ଚାୟତର ୬ଟି ଗାଁ ବର୍ତ୍ତମାନ ମଧ୍ୟ ଜଳବନ୍ଦି ଅବସ୍ଥାରେ ଥିବା ବେଳେ ସେ ଅଞ୍ଚଳକୁ ବିଧାୟକଙ୍କ ଦୃଷ୍ଟି ପଡି ନ ଥିଲା। ଲାଞ୍ଜିଗଡ ବ୍ଲକରେ ଥିବା ଘାଟି ଅଞ୍ଚଳର ପାହାଡପଦର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, ଲାଞ୍ଜି, ବନ୍ଧପାରୀ, କାନକୁଟ୍ରୁ, କୁମଖାଲ ଓ ବେଡାଗାଁ ପଞ୍ଚାୟତରେ ଏହି ବନ୍ୟାରେ ଅନେକ ଲୋକଙ୍କ ଘର ଭୁଶୁଡି ପଡିଥିବା ବେଳେ ଅନେକ ଚାଷଜମୀ ବାଲିଚର ହୋଇ ଚାଷସବୁ ନଷ୍ଟ ହୋଇଯାଇଛି । ଏହି ଯାଗାକୁ ବିଧାୟକ ପରିଦର୍ଶନ କରି ଦେଖିବା କଥା ବୋଲି ଅନେକ ମତପ୍ରକାଶ କରିଛନ୍ତି। ନିର୍ବାଚନ ପରେ ବିଧାୟକ ପ୍ରଦିପଙ୍କ ଏହା ପ୍ରଥମ ଲାଞ୍ଜିଗଡ ଅଞ୍ଚଳ ଗସ୍ତ ଥିଲା । ବିଧାୟକ ଦିଶାରୀ ଆସିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଗସ୍ତରେ ବିଧାୟକ ଅନେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଗସ୍ତରେ ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନି, ବିଶ୍ୱମିତ୍ର ଘଡେଇ, ନରେନ୍ଦ୍ର ପ୍ରଧାନି ପ୍ରମୁଖ ଉପସ୍ଥିତ ଥିଲେ ।