ବିଧାୟକଙ୍କ କରୋନା ସମୀକ୍ଷା

ଢେଙ୍କାନାଳ ଅଫିସ, ୧୭।୪ – ଢେଙ୍କାନାଳ ଜିଲାରେ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଗୁରୁବାର ବିଧାୟକ ସୁଧୀର କୁମାର ସାମଲ ସମୀକ୍ଷା କରିଛନ୍ତି। ସେ ଜିଲା କାର୍ଯ୍ୟାଳୟକୁ ଆସି ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। କୋଭିଡ୍‌-୧୯ ହସ୍ପିଟାଲ ପାଇଁ ବିଧାୟକଙ୍କ ହାତପାଣ୍ଠିରୁ ଖୁବ୍‌ଶୀଘ୍ର ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ଅଧିକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ଏହାପରେ ସେ ସଦର ବ୍ଲକ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ସହ କରୋନା ପ୍ରତିହତ ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସଦର ବ୍ଲକ ଶପ୍ତଶଯ୍ୟା ଏବଂ ଗଁଦିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଧାୟକଙ୍କ ଉପସ୍ଥିତିରେ ଅସହାୟଙ୍କୁ ରନ୍ଧାଖାଦ୍ୟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା। ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ।