ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ୮ ଜଣ ପୂର୍ବତନ ମନ୍ତ୍ରୀ, ବିଧାନସଭାର ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୁକ୍ରବାର ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୋକ ପ୍ରସ୍ତାବ ଆଗତ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ଜଗନ୍ନାଥ ରାଉତ, ପୂର୍ବତନ ସଦସ୍ୟ ସଚିଦାନନ୍ଦ ଦେଓ, ଭାଗୀରଥି ଦାସ, ରାଧାଗୋବିନ୍ଦ ସାହୁ, ଦୈତାରୀ ବେହେରା, ନାକା ଲଛମାୟା ଏବଂ ଗୌରହରି ନାଏକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ସହ ପରଲୋକଗତ ସଦସ୍ୟମାନଙ୍କର ଜୀବନୀ ବିଷୟରେ ସୂଚନା ଦେଇଥିଲେ। ସ୍ବର୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗୃହ ମାଧ୍ୟମରେ ସମବେଦନା ଜଣାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ସିପିଆଇ(ଏମ୍‌) ନେତା ଲକ୍ଷ୍ମଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ସ୍ବର୍ଗତ ସଦସ୍ୟମାନଙ୍କର ସ୍ମୃତି ଚାରଣ କରିଥିଲେ। ପରଲୋକଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନିଜ ଦଳର ସମବେଦନା ବାଚସ୍ପତିଙ୍କ ଜରିଆରେ ଜଣାଇଥିଲେ। ସେହି ପରଲୋକଗତ ସଦସ୍ୟମାନଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା ସହ ଗୃହରେ ଶୋକ ପ୍ରସ୍ତାବ ୨୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା।