ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର, ୩୦ା୩(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହରେ ସରକାରଙ୍କୁ ଘେରିଥିଲେ। ଖଣି ମାଲିକଙ୍କ ଚାପ ଯୋଗୁ ଗତ ୩ ବର୍ଷ ଧରି ଏହି ପ୍ରସଙ୍ଗକୁ ଗୃହରେ ଆଲୋଚନା ପାଇଁ ଅନୁମତି ମିଳୁ ନ ଥିବା ସେ କହିଥିଲେ। ମଙ୍ଗଳବାର ଶୂନ୍ୟକାଳରେ ସାଲୁଜା ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସମସ୍ତେ ଏବେ ଖଣି ମାଲିକଙ୍କ ପକେଟରେ। ଯେଉଁଥିପାଇଁ ୩ବର୍ଷ ହେଲା ଖଣି ଦୁର୍ନୀତି ଆଲୋଚନାକୁ ଅନୁମତି ମିଳୁନାହିଁ। ଖଣି ମାଲିକଙ୍କ ପଇସା ପଞ୍ଚାୟତ ଓ ପୌର ନିର୍ବାଚନରେ ଖର୍ଚ୍ଚ ହୋଇଛି। ଖଣି ମାଲିକଙ୍କ ଦ୍ୱାରା ଶାସକ, ବିରୋଧୀ ସମସ୍ତେ ମ୍ୟାନେଜ ହୋଇଯାଇଥିବା ସାଲୁଜା ଗୃହରେ କହିଥିଲେ। କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ କହିଥିଲେ ଯେ ବେଆଇନ ଖନନ ଯୋଗୁ ଶହେରୁ ଅଧିକ ଖଣି ମାଲିକଙ୍କ ଉପରେ ଜରିମାନା ଧାର୍ଯ୍ୟ ହୋଇଥିଲା। ହେଲେ ତାହା ଆଦାୟ ହେଲାନାହିଁ । ଖଣିମାଲିକମାନେ ସଲାସୁତରା କରି ଖଣି ଚଳାଇଲେ। ବାହିନୀପତି କେତେକ ଖଣି ମାଲିକଙ୍କ ନାମ ବି ଗୃହରେ ପ୍ରକାଶ କରିଥିଲେ। ଖଣି ଦୁର୍ନୀତି ଆଲୋଚନା ପ୍ରସଙ୍ଗରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ତାରା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚେୟାର ଫିଙ୍ଗିବାକୁ ଟେକି ଧରିଲେ। ଏଥିସହ ସେ ଇୟରଫୋନ ମଧ୍ୟ ଫୋପାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ଗୃହରେ ତାରାଙ୍କ ଆଚରଣକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଜଣେ ବରିଷ୍ଠ ସଭ୍ୟ ହୋଇ ଏଭଳି ଆଚରଣ ପ୍ରଦର୍ଶନ କରିବା ଠିକ୍‌ ନୁହେ।