ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ ବାଲେଶ୍ୱର କଚେରୀ ନିକଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ କାର୍ଯ୍ୟ କରନ୍ତି। ସେ ବଡ଼କିଆ ଛକରେ ଥିବା ଏକ ଦୋକାନକୁ ଶାମ୍ପୋ ଆଣିବା ପାଇଁ ଯାଇଥିଲେ। ଦୋକାନୀଙ୍କ ଇନଭର୍ଟର ଖରାପ ହୋଇଥିବା ଜାଣି ସେ ମରାମତି କରିବାକୁ ଉଦ୍ୟମ କରୁଥିବା ବେଳେ ପୂର୍ବରୁ ଚାର୍ଜ ହୋଇଥିବା ଇନଭର୍ଟର ଦ୍ୱାରା ବିଦ୍ୟୁତ୍‌ ଆଘାତ ପାଇଥିଲେ। ଘଟଣାସ୍ଥଳରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୯/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ମୀନତି ବିଶ୍ୱାଳ କହିଛନ୍ତି।