ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି ଲାଇନ ନେଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଶୁକ୍ରବାର କେନ୍ଦୁଝର ଜିଲାପାଳ, ଏସପି, ଡିଏଫଓ, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ତଥା ଉପ ବିଦ୍ୟୁତ୍‌ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନଈବୁଗା ସଂରକ୍ଷିତ ଜଙ୍ଗଲରେ ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଟଣା ହୋଇଥିବା ନେଇ ସ୍ଥାନୀୟ ଲୋକମାନେ କେନ୍ଦୁଝର ଡିଏଫଓଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଡିଏଫଓ ସନ୍ତୋଷ କୁମାର ଯୋଶୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗ ପକ୍ଷରୁ କମ୍ପାନୀ ଏବଂ ନେସ୍କାକୁ ଚିଠି କରି ନିଜର ପକ୍ଷ ରଖିବାକୁ କୁହାଯାଇଥିଲା। ଏନେଇ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ ହେଉଥିବା ବେଳେ ଏବେ ପୋଲିସ ସହାୟତାରେ ବାମେବାରୀ ସ୍କୁଲ ଖେଳ ପଡ଼ିଆ ଏବଂ ଅନ୍ୟ ବେସରକାରୀ ଜମିରେ ତାର ଟଣା ଯାଉଥିବାରୁ ଲୋକ ପ୍ରତିନିଧିମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ଉପରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସଂଯୋଗ ନେଇ ଥିବାରୁ ଜଙ୍ଗଲ ଜୀବଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଜୁରୁଡି ଗ୍ରୀଡରୁ ବିଦ୍ୟୁତ ସଂଯୋଗ ଦେବା ପୂର୍ବରୁ ଡିଆରପି ହୋଇଛି କି ନାହିଁ। ତାହା ଯାଞ୍ଚ ନ ହୋଇ କିପରି ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି ସେ ନେଇ ଅଭିଯୋଗ କରିଛନ୍ତି । ଫରେଷ୍ଟ କଞ୍ଜରଭେସନ ଆକ୍ଟ ଉଲ୍ଲଘଂନ ହୋଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଥିବା ସେମାନେ କହିଛନ୍ତି । ଶୁକ୍ରବାର ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାୟକ, ସମିତି ସଭ୍ୟ ପ୍ରଦୀପ କୁମାର ବେହେରା, ଜଲହରି ସରପଞ୍ଚ ମିତା ମୁଣ୍ଡା, ସମିତି ସଭ୍ୟ ସାବିତ୍ରୀ ମୁଣ୍ଡା, ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ, ଜୁରୁଡି ସମିତି ସଭ୍ୟ ଇନ୍ଦିରା ପାତ୍ର, ବସନ୍ତପୁର ସରପଞ୍ଚ ଲିପାରଣୀ ନାୟକ, ସମିତି ସଭ୍ୟ ସାବିତ୍ରୀ ମାଝୀଙ୍କ ସମେତ କ୍ଷତିଗ୍ରସ୍ତ ତ୍ରିଲୋଚନ ପରମାଣିକ,କୃଷି ମୁଣ୍ଡା,ବାଙ୍କୁ ପରମାଣିକ,ଲକ୍ଷ୍ମୀଧର ପରମାଣିକ ପ୍ରମୁଖ ଅଭିଯୋଗ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।