ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ଥାନାରେ ମାମଲା

କୁଆମରା,୧୯ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ରାଣୀବନ୍ଧ ପଞ୍ଚାୟତର ନାଉପଦା ଗ୍ରାମକୁ ସୋମବାର ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିତ୍ବା ନେସ୍କୋ କର୍ମଚାରୀଙ୍କୁ ଉପଭୋକ୍ତା ଅଟକ ରଖିବା ନେଇ ଥାନା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବିଭାଗୀୟ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଉପପଭୋକ୍ତାଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ଖୁଣ୍ଟା ଥାନା ପୋଲିସ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନାଅନୁଯାୟୀ, ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସୋମବାର ଅପରାହ୍ନରେ ନାଉପଦା ଗ୍ରାମକୁ ବିଲ୍‌ ଆଦାୟ କରିବାକୁ ଯାଇଥିଲେ। ସେହି ଗ୍ରାମର ଉପଭୋକ୍ତା ରାମକୃଷ୍ଣ ନାୟକ ଘରେ ନ ଥିଲେ। ତାଙ୍କ ସ୍ତ୍ରୀ ୧୫ଶହ ଟଙ୍କା ଦେଉଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ୩ହଜାର ଟଙ୍କା ଦେବାକୁ ଜିଦ ଧରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରାମକୃଷ୍ଣ ଓ ତାଙ୍କ ପୁଅ ଶାନ୍ତନୁ ପହଞ୍ଚି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅଟକ ରଖିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ବିଦ୍ୟୁତ୍‌ ବିଭାଗ ଏସଡିଓ ପ୍ରଶାନ୍ତ କୁମାର ମାନା ରାତିରେ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ବିଲ୍‌ ଆଦାୟ କରିବାକୁ ଆସିଥିବା ନେସ୍କୋ ଭିଜିଲାନ୍ସ ମ୍ୟାନେଜର ଦୀପକ କୁମାର ଦାସ, କର୍ମଚାରୀ ଦିପ୍ତୀକାନ୍ତ ଭୂୟାଁ ଓ ହେଲପର ଦୟାନିଧି ମହାନ୍ତ ର୍ଦୁବ୍ୟବହାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଉଭୟଙ୍କ ଅଭିଯୋଗକୁ ନେଇ ଖୁଣ୍ଟା ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି।