ବିଦ୍ୟୁତ୍‌ ବିଭାଗ ଚଢ଼ାଉକୁ ନେଇ ଉତ୍ତେଜନା

ପରଜଙ୍ଗ, ୬।୯(ଡି.ଏନ୍‌.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଶୁକ୍ରବାର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ଦାୟିତ୍ୱ ସେସୁ ଉପରେ ନ୍ୟସ୍ତ ରହିଛି। ହେଲେ ବିଭାଗ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି। ତଥାପି ଲାଭଖୋର୍‌ ମନୋବୃତ୍ତି ନେଇ ବାରମ୍ବାର ଚଢ଼ାଉ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ବଜାରରେ ଜଣେ ବ୍ୟବସାୟୀଙ୍କ ନାମରେ ମିଟର ଟ୍ୟାମ୍ପେରିଂ ଅଭିଯୋଗ ଆସିଥିଲା। ଏହାପରେ ସେସୁ (ଏଭିଓ) ସହକାରୀ ଭିଜିଲାନ୍ସ ଅଧିକାରୀ ସତ୍ୟନାରାୟଣ ରଥ, ସେସୁ ଏମ୍‌ଆରଟି ଏସ୍‌ଡିଓ କିଶୋର ବିଶ୍ବାଳ, ପରଜଙ୍ଗ ଏସ୍‌ଡିଓ ସିପକ ଦାସ, ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଏନ୍‌ଜେଏନ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ହେଲେ ଅଧିକାରୀମାନେ ଅଭିଯୋଗ ଆସିଥିବା ଦୋକାନକୁ ବାଦ୍‌ ଦେଇ ଅନ୍ୟସ୍ଥାନରେ ଚଢ଼ାଉ କରିଥିଲେ। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବ୍ୟବସାୟୀ।
ପରଜଙ୍ଗକୁ ବାଦ୍‌ ଦେଲେ ଅନ୍ୟ ୨୯ ପଞ୍ଚାୟତରେ ବିଦ୍ୟୁତ୍‌ ସେବା, ଅର୍ଥ ଆଦାୟ, ଏଲ୍‌ଟି ଲାଇନ ମରାମତି କାମ ଏନ୍‌ଜେନ୍‌ ବୁଝୁଛି। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ସେବା ଦାୟିତ୍ୱରେ ସେସୁ ରହିଛି। ଏଥିରେ ଏନ୍‌ଜେନ୍‌ର କୌଣସି ଭୂମିକା ନାହିଁ। ତଥାପି ଚଢ଼ାଉରେ ଏନ୍‌ଜେନ୍‌ କର୍ମଚାରୀ ସାମିଲ ହେବାକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଥିଲେ। ଏଥିସହ ଅଭିଯୋଗ ଆସିଥିବା ଦୋକାନକୁ ଛାଡ଼ି ଅନ୍ୟଦୋକାନରେ ଚଢ଼ାଉ କରାଯିବାକୁ ନେଇ ସେମାନେ ଆପତ୍ତି କରିଥିଲେ। ବିରୋଧ ପରେ ଥାନାରେ ପୋଲିସ ଉପସ୍ଥିତରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ନେଇ ବୈଠକ ବସିଥିଲା। ପରଜଙ୍ଗ ପଞ୍ଚାୟତରେ ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାରେ ସେସୁ ବିଫଳ ହୋଇଛି। ପ୍ରଥମେ ଏହାର ସମାଧାନ କରାଯାଉ। ଠିକ୍‌ ଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାପରେ ଚଢ଼ାଉ କରାଗଲେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବ୍ୟବସାୟୀମାନେ ସର୍ତ୍ତ ରଖିଥିଲେ।
ଏ ନେଇ ଚାଇଁପାଳ ସେସୁ ନିର୍ବାହୀ ଯନ୍ତ୍ରୀ, କୁହନ୍ତି, ଅଭିଯୋଗ ଆସିଥିବା ଦୋକାନ ପରିବର୍ତ୍ତେ ଅନ୍ୟ ଦୋକାନରେ ଚଢ଼ାଉ ଏବଂ ଦାୟିତ୍ୱରେ ନ ଥିବା ସତ୍ତ୍ୱେ ଏନ୍‌ଜେଏନ୍‌ କର୍ମଚାରୀ ଏଥିରେ ସାମିଲ ହେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଞ୍ଚଳରେ ରହିଥିବା ବିଦ୍ୟୁତ୍‌ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ବିଦ୍ୟୁତ୍‌ ଚୋରି ରୋକିବା ନେଇ ଲୋକଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।