ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ନେଇ ଭାଜପାର ଟାର୍ଗେଟ: ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୬।୨(ବ୍ୟୁରୋ): ବିଜୁଳିକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ଗୁରୁବାର ସମାଲୋଚନା କରିଛନ୍ତି। ବଡ଼ ଶିଳ୍ପ ସଂସ୍ଥା ଓ ବିତରକ କମ୍ପାନୀ ଉପରେ ୧୨ ହଜାର କୋଟି ଟଙ୍କା ବାକି ରହିଛି। ହେଲେ ଗରିବଙ୍କ ବିଜୁଳି କାଟିବା ଦିଗରେ ସରକାର ତତ୍ପର ହେଉଛନ୍ତି। ସେହିଭଳି ୩୨୨ କମ୍ପାନୀ ଉପରେ ୫୧୩ କୋଟି ଜଳକର ବାକି ପଡ଼ିଛି। ୨୬ ବଡ଼ କମ୍ପାନୀ ଉପରେ ୧୮୭୪ କୋଟି ବିଦ୍ୟୁତ୍‌ ଶୁଳ୍କ ବାକି ରହିଛି। ବିଦ୍ୟୁତ୍‌ ବିତରକ କମ୍ପାନୀ ଉପରେ ୩୭୯୭ କୋଟି ବାକି ପଡ଼ିଛି। ହେଲେ ଓଏଚ୍‌ପିସିକୁ ୫୨୨୫ କୋଟି ଜଳକର ଛାଡ଼ କରିଛନ୍ତି ରାଜ୍ୟ ସରକାର। ୟୁନିଟ୍‌କୁ ୩ ଟଙ୍କା ୨୧ ପଇସାରେ ବିକି ବାହାରୁ ୩ ଟଙ୍କା ୮୧ ପଇସାରେ ରାଜ୍ୟ ସରକାର ବିଜୁଳି କିଣୁଛନ୍ତି। ଝିଣ୍ଟିକା ମାରି ବଣି ପୋଷୁଛନ୍ତି। କାଉ ଖାଇଲା ପଣସ, ବଗ ମୁଣ୍ଡରେ କିନ୍ତୁ ଅଠା ବୋଲି ଗୋଲକ କହିଛନ୍ତି।

ପ୍ରକାଶ ଯେ, ଉପଭୋକ୍ତାମାନଙ୍କର ବିଦ୍ୟୁତ୍‌ ବକେୟା ବଣ୍ଟନ କମ୍ପାନୀକୁ ଦେବାଳିଆ କରୁଥିବା ନେଇ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜାନୁୟାରୀ ୧୫ ସୁଦ୍ଧା ବକେୟା ପୈଠ କରି ନ ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ସେସୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ କାଟ କରାଯାଉଛି।