ବିଦ୍ୟୁତ୍‌ ଫାଶ ନେଲା ଦନ୍ତା ଜୀବନ

ସାତମାଇଲ, ୧୫।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ତାର ନେଇଛି ଏକ ଦନ୍ତା ଜୀବନ। ସାତମାଇଲ ନିକଟ ଗୁରିଲୋ କାଜୁପଡ଼ିଆରୁ ବୁଧବାର ଉକ୍ତ ହାତୀର ମୃତଦେହ ଉଦ୍ଧାର କରାଯାଇଛି।
କାଜୁ ବଗିଚାରେ ଏକ ଦନ୍ତା ମରି ପଡ଼ିଥିବା ଦେଖି ସକାଳେ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ୪୦ରେ ରେଞ୍ଜର ହରମୋହନ ନାୟକ, ଡେପୁଟି ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ, ଏସିଏଫ୍‌ ସରୋଜ ବିଶ୍ୱାଳ ସଦଳବଳ ପହଞ୍ଚତ୍ ତଦନ୍ତ କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ହାତୀର ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଘଟଣାସ୍ଥଳରୁ ବିଛାଯାଇଥିବା ବିଦ୍ୟୁତ୍‌ ତାର, ଖୁଣ୍ଟ ଏବଂ ପ୍ଲାଷ୍ଟିକ୍‌ ବୋତଲ ଜବତ କରାଯାଇଛି। ଗୁରୁବାର ସକାଳେ ବ୍ୟବଚ୍ଛେଦ କରାଯିବା ସହ ଦାନ୍ତ ବାହାର କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି। ମୃତ ଦନ୍ତାର ଆନୁମାନିକ ବୟସ ୧୪ ବର୍ଷ ହେବ ବୋଲି ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା କଥା, ବନ ବିଭାଗର ଉଦାସୀନତାରୁ ଦୀର୍ଘଦିନ ହେଲା ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମାଂସ, ଚମଡ଼ା ଏବଂ ଦାନ୍ତ ଲୋଭରେ ଶିକାରୀମାନେ ପ୍ଲାଷ୍ଟିଲ ବୋତଲରେ ବିଦ୍ୟୁତ୍‌ ତାର ବିଛାଇ ଅବାଧ ଜନ୍ତୁ ଶିକାର କରୁଛନ୍ତି। ହାତୀ ମୃତ୍ୟୁସ୍ଥଳରୁ ବିଦ୍ୟୁତ୍‌ ତାର ଏବଂ ପ୍ଲାଷ୍ଟିକ ବୋତଲ ମିଳିବା ଏହାର ସବୁଠାରୁ ବଡ଼ ପ୍ରମାଣ। ଶିକାରୀଙ୍କ ଦୌରାତ୍ମ୍ୟ ରୋକିବାକୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।