ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ମିଳୁନି: ଏନ୍‌ଟିପିସିର ୪, ଟିଟିପିଏସ୍‌ର ୫ ୟୁନିଟ୍‌ ବନ୍ଦ

ତାଳଚେର,୪ା୮ (ନି.ପ୍ର.)-ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଜାରି ରହିଥିବା ଆନ୍ଦୋଳନ ଯୋଗୁ ତାଳଚେର କୋଲ୍‌ ଫିଲଡ୍ସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ୩୦୦୦ ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ଓ ଏହା ଅଧୀନରେ ଥିବା ଟିଟିପିଏସ୍‌ ଉପରେ ପଡ଼ିଛି। କୋଲ୍‌ ଫିଲଡ୍ସରୁ ଉତ୍ତୋଳନ ଓ ପରିବହନ ହୋଇପାରୁ ନ ଥିବାରୁ ଏହି ଦୁଇ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଗୁରୁତର କୋଇଲା ସଙ୍କଟ ସୃଷ୍ଟି ହୋଇଛି। ଏଥିଯୋଗୁ ଶନିବାର ଏନ୍‌ଟିପିସିର ଗୋଟିଏ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଏହାକୁ ମିଶାଇ ପ୍ରକଳ୍ପର ମୋଟ୍‌ ୪ଟି ୟୁନିଟ୍‌ ବନ୍ଦ ହେଲାଣି। ସେହିପରି ଟିଟିପିଏସ୍‌ର ୫ଟି ୟୁନିଟ୍‌ ଶୁକ୍ରବାରଠାରୁ ବନ୍ଦ ରହିଛି।
ଏନ୍‌ଟିପିସିରେ ଥିବା ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ୩ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ। ଏଥିପାଇଁ ଦିନକୁ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ପଡ଼ିଥାଏ। ଗତ ମାସ ୨୩ ତାରିଖ ଭରତପୁର ଖଣି ଦୁର୍ଘଟଣା ପରଠାରୁ ଏନ୍‌ଟିପିସିକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ପ୍ରକଳ୍ପ ଷ୍ଟକୟାର୍ଡରେ ମଧ୍ୟ ଆଉ ଅଧିକ କୋଇଲା ନାହିଁ। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଓ ୫ ନମ୍ବର ୟୁନିଟ୍‌କୁ ଗତ ୨୯ ତାରିଖରୁ ବନ୍ଦ ରଖିଛନ୍ତି। ବାହାରୁ କୋଇଲା ଯୋଗାଡ଼ କରି ବାକି ୩ଟି ୟୁନିଟ୍‌ ଚଳାଯାଉଥିଲେ ବି ଶନିବାର ୨ ନମ୍ବର ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୨ ୟୁନିଟ୍‌କୁ ମଧ୍ୟ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟହେବେ ବୋଲି ଜଣାପଡିଛି। ମୋଟ୍‌ ୪ଟି ୟୁନିଟ୍‌ ବନ୍ଦ ହୋଇଯାଇଥିବାରୁ ବିଦ୍ୟୁତ୍‌ ଉପତ୍ାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସେହିପରି ୪୬୦ ମେଗାୱାଟ୍‌ ବିଶିଷ୍ଟ ଟିଟିପିଏସ୍‌ରେ ୬ଟି ୟନିଟ୍‌ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁ ୧, ୨, ୩, ୪ ଓ ୫ ନମ୍ବର ୟୁନିଟ୍‌କୁ ବନ୍ଦ କରି ଦିଆଯାଇଛି।